ନୂଆଦିଲ୍ଲୀ / କାଠମାଣ୍ଡୁ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୩/୦୮ : ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ କ୍ଷମତାସୀନ ନେପାଳ କମ୍ୟୁନିଷ୍ଟ ପାର୍ଟି ସଭାପତି ପଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ମଧ୍ୟରେ ଚାଲି଼ଥିବା ବୈଠକ ଅସମ୍ପୂର୍ଣ୍ଣ ଥିଲା । ତେବେ ନେପାଳୀ ଗଣମାଧ୍ୟମର ଖବର ଅନୁଯାୟୀ ଉଭୟ ପକ୍ଷରେ ଏକ ଚୁକ୍ତି ହୋଇଛି। ଏହି ଚୁକ୍ତି ପରେ ଓଲି ସାମାନ୍ୟ ନରମିଥିବା ପରି ମନେ ହେଉଛି।
ରବିବାର ବିଳମ୍ବିତ ରାତିରେ ଗତ ମାସରୁ ନେପାଳରେ ନିଷିଦ୍ଧ ଭାରତୀୟ ସମ୍ବାଦ ଚ୍ୟାନେଲ ଗୁଡ଼ିକର ପୁନଃ ପ୍ରସାରଣକୁ ଅନୁମତି ମିଳିଛି। ଆଜି ପୁଣି ଓଲି ଏବଂ ପ୍ରଚଣ୍ଡଙ୍କ ମଧ୍ୟରେ ଏକ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି, ଯେଉଁଥିରେ ସମାଧାନର ଆଶା କରାଯାଉଛି। ନେପାଳ ମିଡିଆ ଅନୁସାରେ ପ୍ରଧାନମନ୍ତ୍ରୀ ଓଲିଙ୍କ ଗଣମାଧ୍ୟମ ପରାମର୍ଶଦାତା ସୂର୍ଯ୍ୟ ଥାପ୍ପାଙ୍କ କହିବା ଅନୁଯାୟୀ, ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ସକାରାତ୍ମକ ଥିଲା।
ତେବେ ଏହି ଘଟଣାକୁ ନେଇ ନେପାଳର ଡିସ୍ ହୋମ ମ୍ୟାନେଜିଂ ଡାଇରେକ୍ଟର ସୁଦୀପ ଆଚାର୍ଯ୍ୟଙ୍କ କହିବା ଅନୁଯାୟୀ, ନେପାଳରେ ବ୍ୟାନ୍ ହୋଇଥିବା ସମସ୍ତ ଚ୍ୟାନେଲ ପୁଣି ଥରେ ପ୍ରସାରଣ ପାଇଁ ଅନୁମତି ମିଳିଛି। ୯ ଜୁଲାଇରୁ ଦୂରଦର୍ଶନକୁ ବାଦ ଦେଲେ ସମସ୍ତ ଭାରତୀୟ ନ୍ୟୁଜ ଚ୍ୟାନେଲ ଉପରେ କଟକଣା ଲାଗୁ କରାଯାଇଥିଲା। ନେପାଳ ପ୍ରଧାନମନ୍ତ୍ରୀ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ପରେ ଏପରି ପଦକ୍ଷେପ ନିଆଯାଇଛି।