କୋଲକାତା,୨୭/ ୧୨: ଆଗକୁ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏଥିପାଇଁ ସଜବାଜ ସମସ୍ତ ରାଜନୈତିକ ଦଳ। ଏସବୁ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଭାପତି ତଥା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ରାଜନୀତିରେ ଏଣ୍ଟ୍ରି କରିବା ନେଇ ଚର୍ଚ୍ଚା ଜୋର ଧରିଛି। ଏସବୁ ମଧ୍ୟରେ ରବିବାର ଦିନ ସୌରଭ ଗାଙ୍ଗୁଲି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ସାକ୍ଷାତ କରିଛନ୍ତି। ଗାଙ୍ଗୁଲିଙ୍କ ଏହି ସାକ୍ଷାତକାରକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଲାଗି ରହିଛି।
ଅପରପକ୍ଷେ ଗାଙ୍ଗୁଲି ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ମତ ରଖିନାହାନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ରାଜ୍ୟପାଳଙ୍କ ସହ ଗାଙ୍ଗୁଲିଙ୍କ ବ୍ୟକ୍ତିଗତ ସାକ୍ଷାତକାର ଥିଲା ବୋଲି ପ୍ରକାଶ ପାଇଛି। ସୂଚନାଥାଉକି, କିଛିଦିନ ହେବ ପଶ୍ଚିମବଙ୍ଗ ରାଜନୀତିରେ ଜୋରଦାର ରାଜନୀତି ଚାଲିଛି। ଏପରିକି ରାଜନୈତିକ ବିଶାରଦ ମାନଙ୍କ କହିବା ମୁତାବିକ ଗାଙ୍ଗୁଲି ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା ନେଇ ଆକଳନ କରାଯାଉଛି।ସୂଚନାଥାଉକି, ରବିବାର ସକାଳେ ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ନିଜର ମନ୍ତବ୍ୟ ରଖିଥିଲେ ଗାଙ୍ଗୁଲି।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜାନୁଆରୀ ୧୨ ତାରିଖରେ ସ୍ବାମୀ ବିବେନାକନ୍ଦ ଜୟନ୍ତୀ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ପଶ୍ଚିମବଙ୍ଗ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ମିଳିଥିବା ସୂତ୍ର ମୁତାବିକ ଅମିତ ଶାହଙ୍କ ଏହି ଗସ୍ତରେ ତମାମ ରାଜନେତା ବିଜେପିରେ ଯୋଗ ଦେଇ ପାରନ୍ତି। ଏପରିକି ଗାଙ୍ଗୁଲି ମଧ୍ୟ ଏହି ସମୟରେ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।