ନୂଆଦିଲ୍ଲୀ : ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନବି) ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ଘୋଷିତ ମେହୁଲ ଚୋକ୍ସୀଙ୍କୁ ଭାରତ ଆଣିବା ଲାଗି ଭାରତୀୟ ବିମାନ ଡୋମିନିକାରେ ପହଞ୍ଚିଛି। ଗତ ବୁଧବାର ମେହୁଲ ଚୋକ୍ସୀ କ୍ୟୁବା ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ଡୋମିନିକାରେ ପୁଲିସ ହାତରେ ଧରାପଡ଼ିଥିଲେ। ଚୋକ୍ସୀଙ୍କ ନିକଟରେ ଆଣ୍ଟିଗୁଆ ନାଗରିକତା ରହିଛି। ଏହା ସତ୍ବେ ଆଣ୍ଟିଗୁଆ ସରକାର ଚୋକ୍ସୀଙ୍କ କାର୍ଯ୍ୟକଳାପରେ ଚିନ୍ତିତ ହୋଇ ତାଙ୍କୁ ଡୋମିନିକାରୁ ସିଧା ଭାରତ ପଠାଇବାକୁ ସେ ଡୋମିନିକା ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏକ ପ୍ରାଇଭେଟ୍ ଜେଟ୍ରେ ଚୋକ୍ସୀଙ୍କୁ ଡୋମିନିକାରୁ ଭାରତ ପଠାଯାଇପାରେ।
ଆଣ୍ଟିଗୁଆ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗ୍ୟାଷ୍ଟନ ବ୍ରାଉନେ ସ୍ପଷ୍ଟ କରିଛନ୍ତି ଯେ, ଭାରତରୁ ଏକ ପ୍ରାଇଭେଟ୍ ଜେଟ୍ ଡୋମିନିକାର ଡଗଲାସ-ଚାର୍ଲ୍ସ ବିମାନବନ୍ଦରରେ ପହଞ୍ଚିଛି। ଚୋକ୍ସୀ ଏବେ ଡୋମିନିକା ପୁଲିସ ହେପାଜତରେ ରହିଛନ୍ତି।
ଏହା ପୂର୍ବରୁ ଡୋମିନିକା ପ୍ରଧାନମନ୍ତ୍ରୀ ବ୍ରାଉନେ କହିଥିଲେ ଯେ, ସେ ଅନୁଭବ କରୁଛନ୍ତି ଯେ ଚୋକ୍ସୀଙ୍କୁ ଭାରତକୁ ହସ୍ତାନ୍ତର କରିବାରେ କୌଣସି ଆଇନଗତ ସମସ୍ୟା ଉପୁଜିବ ନାହିଁ। ତାଙ୍କୁ ପ୍ରାଇଭେଟ୍ ଜେଟ୍ ଜରିଆରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଭାରତକୁ ପ୍ରତ୍ୟର୍ପିତ କରିଦିଆଯାଇ ପାରିବ। ତେଣୁ ସେ ଭାରତ ସରକାରଙ୍କୁ ନିଜ ଅଧିକାରୀଙ୍କୁ ପ୍ରାଇଭେଟ୍ ଜେଟ୍ ଜରିଆରେ ଡୋମିନିକା ପଠାଇବାକୁ କହିଥିଲେ ବୋଲି ବ୍ରାଉନେ କହିଛନ୍ତି।