କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୭/୦୬: ବିପଦ ବେଳେ ବନ୍ଧୁ ପାଇଁ ଅଣ୍ଟା ଭିଡ଼ି ବାହାରି ଆସୁଥିବା ବ୍ୟକ୍ତି ହିଁ ଅସଲ ବନ୍ଧୁ। ଏହି ବନ୍ଧୁତ୍ବର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟରେ। କେନ୍ଦ୍ରାପଡ଼ା ମାର୍ଶାଘାଇର ୫ ଯୁବକ ଗୁଜରାଟର ଏକ ସୂତା ମିଲ୍ରେ କାମ କରୁଥିଲେ। ଲକ୍ଡାଉନ୍ ପରେ କମ୍ପାନି ବନ୍ଦ ହୋଇଯିବାରୁ ସେଠାରେ ଅଟକି ରହିଥିଲେ। କିନ୍ତୁ ନିକଟରେ ୫ ଜଣଙ୍କ ମଧ୍ୟରୁ କୁନା ପ୍ରଧାନ ହଠାତ ଅସୁସ୍ଥ ହୋଇପଡ଼ିଲେ। ତାଙ୍କର ବହୁ ଅଙ୍ଗ ଅଚଳ ହୋଇଗଲା। ଏହା ଦେଖି ଅନ୍ୟ ୪ ବନ୍ଧୁ କୁନାଙ୍କୁ ମେଡିକାଲ ନେଇଗଲେ। ଚାହୁଁ ଚାହୁଁ ସମସ୍ତଙ୍କ ପାଖରେ ଥିବା ମୋଟ ୩୬ହଜାର ଟଙ୍କା ଖର୍ଚ୍ଚ ହେଇଗଲା। ଏହାପରେ ଔଷଧ ପାଇଁ ମଧ୍ୟ ଅର୍ଥ ଅଣ୍ଟିଲା ନାହିଁ। ତେଣୁ ଗାଁ’କୁ ଫୋନ୍ କରି ଏ ସମ୍ପର୍କରେ ଜଣାଇବା ପରେ କିଛି ବନ୍ଧୁ ଟଙ୍କା ଯୋଗାଡ଼ କରି ପଠାଇଲେ। ସେଥିରେ ଔଷଧ ଖର୍ଚ୍ଚ ସିନା ମେଣ୍ଟିଗଲା, କିନ୍ତୁ ହାତରୁ ଟଙ୍କା ସରିଯାଇଥିବାରୁ ଚଳିବା ଭାରି କଷ୍ଟ ହେଲା।ଶେଷରେ କିଛି ବାଟ ନପାଇ ସେମାନଙ୍କ ମଧ୍ୟରୁ ରମାକାନ୍ତ ନାମକ ଜଣେ ଯୁବକ ଏନେଇ ଟ୍ବିଟ୍ରେ ଅଭିନେତା ସବ୍ୟସାଚୀଙ୍କୁ ଯୋଗାଯୋଗ କଲେ। କୁନାଙ୍କର ଅଙ୍ଗ ଅଚଳ ହୋଇଯିବା ଓ ବନ୍ଧୁମାନଙ୍କ ସହଯୋଗ ସବ୍ୟଙ୍କୁ ବହୁତ ଆକୃଷ୍ଟ କଲା। ସେ ସଙ୍ଗେସଙ୍ଗେ ସାହାଯ୍ୟ କରିବେ ବୋଲି ଜଣାଇଦେଲେ। ତେବେ ସିଧାସଳଖ ଟ୍ରେନ୍ ନଥିବାରୁ ସେ କାର୍ ପଠାଇ ଗୁଜରାଟର ଏକ ଉପାନ୍ତ ଅଞ୍ଚଳରୁ ଭାଟି ପର୍ଯ୍ୟନ୍ତ ସେମାନଙ୍କୁ ଆଣିଲେ। ସେଠାରୁ ସେମାନେ ମହାରାଷ୍ଟ୍ର ପର୍ଯ୍ୟନ୍ତ ଟ୍ରେନ୍ରେ ଆସିଲେ। ପୁଣି ସେଠାରୁ ଏକ କାର୍ ଯୋଗେ ଆଉ ଏକ ଷ୍ଟେସନ ପର୍ଯ୍ୟନ୍ତ ଆସିବା ପରେ ଓଡ଼ିଶାକୁ ଟ୍ରେନ୍ ପାଇଥିଲେ। ଏହା ମଧ୍ୟରେ ସବ୍ୟ ଓଡ଼ିଶାରେ ଥାଇ ସେମାନଙ୍କ ପାଇଁ କାର୍ଠୁ ନେଇ ଟ୍ରେନ୍ ଟିକେଟ୍ର ସମସ୍ତ ବନ୍ଦୋବସ୍ତ କରୁଥିଲେ। ଗତକାଲି ସେମାନେ ଭୁବନେଶ୍ବରରେ ପହଞ୍ଚିବା ପରେ ସବ୍ୟସାଚୀ ସେମାନଙ୍କୁ ଭେଟି ତାଙ୍କୁ ଏକ କାର୍ ଯୋଗେ କେନ୍ଦ୍ରାପଡ଼ା ମାର୍ଶାଘାଇକୁ ପଠାଇଥିଲେ। ୫ବନ୍ଧୁ ଏବେ ନିଜ ଗାଁ’ରେ କ୍ବାରାଣ୍ଟିନ୍ କେନ୍ଦ୍ରରେ ରହୁଥିବା ବେଳେ ଭାଙ୍ଗି ପଡ଼ିଥିବା କୁନାଙ୍କ ପରିବାର ଆଶ୍ବସ୍ତ ହୋଇଛନ୍ତି।