ପୁଲିସ ପରେ ଡାକ୍ତର ପାଳି,ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା.ଦେବାଶିଷ ଘୋଷ ଗିରଫ
କଳିଙ୍ଗ ଜ୍ୟୋତି ବ୍ୟୁରୋ ରାଉରକେଲା୦୮/୦୭ : ରାଜ୍ୟ କ୍ରାଇମବ୍ରାଞ୍ଚ ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଦେବାଶିଷ ଘୋଷଙ୍କୁ ଆଇପିସି ଧାରା ୩୧୩/୧୬୬/୨୦୧/୧୨୦ (ଖ), ପୋକ୍ସୋ ଆଇନ ଧାରା ୧୭/୨୧ ଓ ଅନୁସୂଚିତ ଜାତି ଓ ଜନଜାତି) ଅଧିନିୟମ ୩ ଅନୁସାରେ ଗିରଫ କରିଛନ୍ତି। ଚାଞ୍ଚଲ୍ୟକର ବୀରମିତ୍ରପୁର ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲାରେ ସଂପୃକ୍ତି ଅଭିଯୋଗରେ ଡାକ୍ତର ଘୋଷଙ୍କୁ ଉପରୋକ୍ତ ଦଫାରେ ଗିରଫ କରାଯାଇଛି। ଡାକ୍ତର ଘୋଷ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ଆଇଆଇସି ଆନନ୍ଦ ଚନ୍ଦ୍ର ମାଝିଙ୍କ ପ୍ରରୋଚନାରେ ପୀଡିତା ବାଳିକାର ଗର୍ଭପାତ କରାଇଥିଲେ।ବହୁଚର୍ଚ୍ଚିତ ବୀରମିତ୍ରପୁର ନାବାଳିକା ଗର୍ଭପାତ ଘଟଣାରେ ବେଆଇନ୍ ଗର୍ଭପାତ କରାଇଥିବା ଡାକ୍ତରକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। କ୍ରାଇମବ୍ରାଞ୍ଚର ଏକ ସ୍ଵତନ୍ତ୍ର ଟିମ୍ ତାଙ୍କୁ ବୀରମିତ୍ରପୁର ଥାନାରେ ଦୀର୍ଘ ସମୟ ଧରି ଜେରା କରିବା ପରେ ଗିରଫ୍ କରି କୋର୍ଟ ଚାଲାଣ କରିଛି l ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳ କହିଛନ୍ତି, ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଛି। ତେଣୁ କରି କିଛି କହିବା ଠିକ୍ ହେବ ନାହିଁ l ଆଇନ୍ ଅନୁଯାୟୀ ଡାକ୍ତରଙ୍କ ବିରୋଧରେ ପଦକ୍ଷେପ ନିଆଯିବ। ଅଭିଯୋଗ ଅନୁଯାୟୀ, ବୀରମିତ୍ରପୁର ବସ୍ଷ୍ଟାଣ୍ଡରୁ ଗତ ମାର୍ଚ୍ଚ ୨୫ ତାରିଖରେ ଜଣେ ୧୩ ବର୍ଷର ନାବାଳିକାକୁ ଉଦ୍ଧାର କରାଯାଇଥିଲା। ତେବେ ସମ୍ପୃକ୍ତ ନାବାଳିକାଙ୍କୁ ଥାନାରେ ଦୁଷ୍କର୍ମ କରାଯାଇ ତାଙ୍କ ଆଇ ଘରେ ଛାଡ଼ି ଦିଆଯାଇ ଥିବା ଅଭିଯୋଗ ହୋଛି ।
ପୁଣିଥରେ ତାଙ୍କୁ ଡାକି ପୁଣି ଦୁଷ୍କର୍ମ କରାଯାଇଥିଲା। ନାବାଳିକା ଜଣଙ୍କର ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମା ଆଉ ଗୋଟିଏ ବିବାହ କରି ଉଭୟେ ଦିଲ୍ଲୀରେ ରହୁଥିଲେ। ପରେ ସମ୍ପୃକ୍ତ ନାବାଳିକାଙ୍କୁ ତାଙ୍କ ମା ଦିଲ୍ଲୀ ନେଇ ଯାଇଥିଲେ। ସେଠାରେ ପୁଣି ତାଙ୍କ ସାବତ ବାପା ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ତାଙ୍କ ମା ନାବାଳିକାକୁ ଆଣି ନିଜ ଗାଁରେ ଛାଡ଼ି ଦେଇଥିଲେ।
ଏଠାରେ ପୁଣିଥରେ ଦୁଇ ଜଣ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ନାବାଳିକାକୁ ୫ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ନାବାଳିକା ଗର୍ଭବତୀ ହେବା ପରେ ତାଙ୍କ ଗର୍ଭପାତ କରାଯାଇଥିବା ଅଭିଯୋଗ ହୋଇ ଥିଲା। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ତେବେ ଯୌନକେଳେଙ୍କାରୀ କରି ଖସିଯାଇଥିବା ବୀରମିତ୍ରପୁର ଥାନାର ଆଇଆଇସି ଆନନ୍ଦ ମାଝୀଙ୍କୁ ଚାକିରିରୁ ବହିସ୍କାର ଓ ପରେ ଗିରଫ କରାଯାଇଛି।