ଭୁବନେଶ୍ୱର / ବ୍ରହ୍ମପୁର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୪/୦୭ : ରାଜ୍ୟରେ ପୁଣି ଜଣେ ଜନପ୍ରତିନିଧି କରୋନା ଆକ୍ରାନ୍ତ ହୋଇଛନ୍ତି, ଆଉ ଜଣେ ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ପୋଲସରାର ବିଧାୟକ କରୋନା ପଜିଟିଭ ବୋଲି ସେ ନିଜେ ଏକ ସମ୍ବାଦପତ୍ରକୁ ସୂଚନା ଦେଇଛନ୍ତି । ବିଧାୟକଙ୍କ ପତ୍ନୀ ମଧ୍ୟ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଗଞ୍ଜାମ ଜିଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ତଥା ବିଧାୟକଙ୍କ ସ୍ତ୍ରୀ ମଧ୍ୟ କୋଭିଡ ପଜିଟିଭ୍ ଆସିଥିବା ଆଜି ସୂଚନା ମିଳିଛି । ଏହାଛଡ଼ା ପୂର୍ବରୁ ରାଜ୍ୟର ୩ ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
ପୋଲସରା ବିଧାୟକ କହିଛନ୍ତି, ‘ମଝିରେ ମଝିରେ ମତେ ଜ୍ୱର ହେଉଥିଲା। ଏହାପରେ ମୁଁ ଭୁବନେଶ୍ୱରର ସମ୍ ହସ୍ପିଟାଲ୍ରେ ଗତ ମଙ୍ଗଳବାର ସ୍ୱାବ ପରୀକ୍ଷା ଲାଗି ଦେଇଥିଲି। ଗତ ବୁଧବାର ମୋର ପଜିଟିଭ୍ ବାହାରିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ଜଣାଇଥିଲେ। ବର୍ତ୍ତମାନ ମୁଁ ସୁସ୍ଥ ଅଛି। ତେବେ ଗଞ୍ଜାମରେ ଥିବା ବେଳେ ମୋର ଜ୍ୱର ଆରମ୍ଭ ହୋଇଥିଲା। ଜ୍ୱର ହେବା ପରେ ମୁଁ ଭୁବନେଶ୍ୱର ଚାଲି ଆସିଥିଲି। ତା’ପରେ ସ୍ୱାବ ପରୀକ୍ଷା ଲାଗି ଦେଇଥିଲି। ବର୍ତ୍ତମାନ ମୁଁ ଘରୋଇ ସଙ୍ଗରୋଧରେ ଅଛି ଓ ମୋର ଚିକିତ୍ସା ଚାଲିଛି।’ ଏଥିସହ ସେ ତାଙ୍କ ପତ୍ନୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି। ଏହାପୂର୍ବରୁ ବାଲେଶ୍ୱର ଜିଲ୍ଲାର ନୀଳଗିରି ଓ ରେମୁଣାର ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ବେଳେ କଟକ ଜିଲ୍ଲା ସାଲେପୁର ବିଧାୟକ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତେବେ ଏହି ୩ଜଣ ଜନପ୍ରତିନିଧି ଇତିମଧ୍ୟରେ ଚିକିତ୍ସା ଲାଭ କରି ସୁସ୍ଥ ହୋଇ ସାରିଥିବା ସୂଚନା ରହିଛି।
ଉଲ୍ଲେଖଯୋଗ୍ୟ, ପ୍ରଥମେ ନୀଳଗିରି ବିଧାୟକ, ତା‘ପରେ ସାଲେପୁର ବିଧାୟକ, ତୃତୀୟରେ ରେମୁଣା ବିଧାୟକ ଓ ଶେଷରେ ପୋଲସରା ବିଧାୟକ ସଂକ୍ରମଣର ଶିକାର ହୋଇଥିବା ସାମ୍ନାକୁ ଆସିଛି। ତେବେ ସାଲେପୁର ବିଧାୟକ ସଂକ୍ରମିତ ହେବାର ମାତ୍ର ଦୁଇ ଦିନ ପରେ କରୋନା ନେଗେଟିଭ୍ ବୋଲି ସ୍ବାବ ପରୀକ୍ଷାରୁ ଜଣାପଡ଼ିଥିଲା।