ଭୁବନେଶ୍ବର ୨୫/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଆଜି ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ପାସ ହାର ୯୭.୮୯% ରହିଥିବା ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦେଇଛି। କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ସେ ମାଟ୍ରିକ ପରୀକ୍ଷା ଫଳ ସମ୍ପର୍କରେ ଗଣମାଧ୍ୟମକୁ ସବିଶେଷ ସୂଚନା ଦେଇଛନ୍ତି।
ଚଳିତ ଥର ମ୍ୟାଟ୍ରିକ ପରୀକ୍ଷା ଦେବା ପାଇଁ ୫ ଲକ୍ଷ ୭୪ ହଜାର ୧୭୫ ଜଣ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଫେଲ ହୋଇଥିବା ପିଲାଙ୍କ ସଂଖ୍ୟା ହେଉଛି ୭ ହଜାର ୭୦୩। ଏହି ପରୀକ୍ଷାରେ ୨ ଲକ୍ଷ ୮୦ ହଜାର ୩୫୨ ଜଣ ବାଳକ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨ ଲକ୍ଷ ୮୧ ହଜାର ୬୫୮ ଜଣ ବାଳିକା ଉତ୍ତୀର୍ଣ୍ଣ ହୋଇଛନ୍ତି।