ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ କୋଭିଡ ଯୋଦ୍ଧା ଓ ବୟସ୍କଙ୍କୁ କରୋନା ଟିକା ଦିଆଯିବ। ସମ୍ପୂର୍ଣ୍ଣ ମାଗଣାରେ ଏହି ଟିକା ଯୋଗାଇ ଦିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଗୁରୁବାର ସୂଚନା ଦେଇଛନ୍ତି।
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି ଯେ ଓଡ଼ିଶାରେ ପ୍ରଥମେ ୩ଟି ଶ୍ରେଣୀଭୁକ୍ତ କରୋନା ଯୋଦ୍ଧାଙ୍କୁ ମାଗଣା ଟିକା ମିଳିବ। ଏଥିରେ ପ୍ରଥମେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଆଦିଙ୍କୁ ମାଗଣା ଟିକା ଦିଆଯିବ। ଏହାପରେ ପୌର, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ କର୍ମଚାରୀମାନଙ୍କ ପାଇଁ ମାଗଣା ଟିକା ବ୍ୟବସ୍ଥା କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ଦୁଇ ଶ୍ରେଣୀର ଲୋକଙ୍କୁ ବାଦ୍ ଦେଇ ବୟସ୍କ ବ୍ୟକ୍ତିମାନଙ୍କୁ ମଧ୍ୟ ମାଗଣାରେ ଟିକା ଦିଆଯିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।
ଦୀର୍ଘ ୮ମାସ ଧରି ବିଶ୍ୱକୁ ନାକେଦମ କରି ରଖିଥିବା କରୋନା ମହାମାରୀ ଏବେ ପରାଜିତ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ଟିକା ଖୁବଶୀଘ୍ର ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାରଙ୍କୁ ଆଶ୍ବସ୍ତ କରାଯିବା ପରେ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି। ପ୍ରଥମ ପର୍ଯ୍ୟାୟରେ କରୋନା ଟିକା ଡାକ୍ତର, ସ୍ୱାସ୍ଥ୍ୟ କର୍ମୀଙ୍କ ସହିତ ପୌର, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ କର୍ମଚାରୀଙ୍କୁ ମାଗଣାରେ ମିଳିବ। ବରିଷ୍ଠ ନାଗିକମାନଙ୍କୁ ମଧ୍ୟ ମାଗଣାରେ ଟିକା ଦିଆଯିବ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି।
ଆଗାମୀ ଜାନୁଆରି ମାସ ଭିତରେ ଟିକାକରଣ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ଏନେଇ ସଚେତନ ଅଛନ୍ତି ଏବଂ ଟିକାକରଣ ଆରମ୍ଭ ହେଲେ ରାଜ୍ୟର କରୋନା ଯୋଦ୍ଧାମାନଙ୍କୁ ଏହାର ସୁଯୋଗ ଦିଆଯିବ ବୋଲି ସେ କହିଛନ୍ତି।