![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୦୫/୦୭: ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନଫରେନ୍ସି ବ୍ୟବସ୍ଥାରେ ଧର୍ମଚକ୍ର ଦିବସ ଉପଲକ୍ଷେ ଆୟୋଜିତ ଉତ୍ସବକୁ ଉଦ୍ଘାଟନ କରିଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଆନୁକୂଲ୍ୟରେ ଆନ୍ତର୍ଜାତିକ ବୌଦ୍ଧ ମହାସଂଘ ଦ୍ୱାରା ଆୟୋଜିତ ଏହି ଉତ୍ସବଟି ଆଷାଢ ପୂର୍ଣ୍ଣିମା ତଥା ଧର୍ମଚକ୍ର ଦିବସ ରୂପେ ପାଳିତ ହେଉଛି। ଆଷାଢ ପୂର୍ଣ୍ଣିମା ଅବସରରେ ଏବେକାର ଉତ୍ତରପ୍ରଦେଶର ବାରାଣସୀ ଅନ୍ତର୍ଗତ ସାରନାଥ ସନ୍ନିକଟ ଋଷିପତନଠାରେ ବୌଦ୍ଧତ୍ୱ ପ୍ରାପ୍ତି ପରେ ଗୌତମ ବୁଦ୍ଧ ତାଙ୍କର ପ୍ରଥମ ୫ଜଣ ଶିଷ୍ୟଙ୍କୁ ଧର୍ମୋପଦେଶ ପ୍ରଦାନ କରିଥିଲେ। ଏହି ଦିବସଟିକୁ ମଧ୍ୟ ବୌଦ୍ଧ ଧର୍ମାବଲମ୍ବୀମାନେ ଧର୍ମଚକ୍ର ପ୍ରବତ୍ତନ ଦିବସଭାବେ ପାଳନ କରିଥାନ୍ତି। ସେମାନଙ୍କ ମତରେ ବୌଦ୍ଧଧର୍ମର ଚକ ଏହି ଦିବସଠାରୁ ଗଡିବାକୁ ଆରମ୍ଭ କରିଥିଲା।
![](https://i0.wp.com/kalingajyoti.com/wp-content/uploads/2020/07/fkj.jpg?resize=491%2C266)
ଆଷାଢ ପୂର୍ଣ୍ଣିମା ତଥା ଗୁରୁପୂର୍ଣ୍ଣିମାଭାବେ ପାଳିତ ହେଉଥିବା ଏହି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହ ଭଗବାନ ବୁଦ୍ଧଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ମଙ୍ଗୋଲିଆ ସରକାରଙ୍କୁ ମଙ୍ଗୋଲୀୟ କଞ୍ଜୁରର ନକଲ ପ୍ରଦାନ କରାଯାଉଥିବାରୁ ସେ ମଧ୍ୟ ସନ୍ତୋଷ ବ୍ୟକ୍ତ କରିଛନ୍ତି।
ପ୍ରଧାନମନ୍ତ୍ରୀ ଏହି ଅବସରରେ ଭଗବାନ ବୁଦ୍ଧଙ୍କ ଅଷ୍ଟାଙ୍ଗମାର୍ଗ ଓ ତାଙ୍କ ବାଣୀ ସଂପର୍କରେ ଆଲୋକପାତ କରିଛନ୍ତି। ବିଭିନ୍ନ ଦେଶ ଓ ସମାଜର ଉନ୍ନତି ପାଇଁ ଏହା କିପରି ସହାୟକ ହୋଇଛି ତାହା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ବୁଦ୍ଧଦେବ ମାନବ, ମହିଳା, ଗରିବ ଲୋକଙ୍କୁ ସମ୍ମାନ ପ୍ରଦାନ କରିବାର ଶିକ୍ଷା ଦେଇଯାଇଛନ୍ତି। ତାଙ୍କ ବାଣୀରେ ଶାନ୍ତି ଓ ଅହିଂସାର ବାର୍ତ୍ତା ରହିଛି। ଏହି ବାର୍ତ୍ତା ଏକ ନିରନ୍ତର ଧାରଣୀୟ ପୃଥିବୀ ଗଠନରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
![](https://kalingajyoti.com/wp-content/uploads/2020/07/zbdfb.jpg)
ଆଶା ଓ ଉଦେଶ୍ୟ ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବୁଦ୍ଧଙ୍କ ବାଣୀରେ ଏହି ଦୁଇଟି ବିଷୟ ଗଭୀରଭାବେ ସଂଶ୍ଲିଷ୍ଟ। ଏକବିଂଶ ଶତାବ୍ଦୀ ଘେନି ସେ କିପରି ଆଶାବାଦୀ ପ୍ରଧାନମନ୍ତ୍ରୀ ତାହା ଉଲ୍ଲେଖ କରିବା ସହ ଏ ନେଇ ଯୁବସମାଜ ଉପରେ ସେ ଯଥେଷ୍ଟ ଭରସା ରଖିଛନ୍ତି। ଭାରତର ଷ୍ଟାର୍ଟଅପ୍ ପରିବେଶ ସର୍ବବୃହତ୍ ତଥା ବୈଶ୍ୱିକ ସମସ୍ୟାର ସମାଧାନ ପାଇଁ ଯୁବ ପ୍ରତିଭାମାନେ କିପରି ଏହା ମାଧ୍ୟମରେ ସମାଧାନର ସୂତ୍ର ବାହାର କରୁଛନ୍ତି ସେ ସଂପର୍କରେ ଉଲ୍ଲେଖ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱ ଏବେ ଅସାଧାରଣ ଆହ୍ୱାନର ମୁକାବିଲା କରୁଛି। ଏହାର ସ୍ଥାୟୀ ସମାଧାନ କେବଳ ଭଗବାନ ବୁଦ୍ଧଙ୍କ ବାଣୀଦ୍ୱାରା ସମ୍ଭବ ହୋଇପାରିବ। ଅଧିକରୁ ଅଧିକ ଲୋକଙ୍କୁ ଭାରତର ବୌଦ୍ଧ ଐତିହ୍ୟସ୍ଥଳୀ ସହିତ ଯୋଡିବାକୁ ସେ ଗୁରୁତ୍ୱ ଦେଇଛନ୍ତି। ଏସବୁ ସ୍ଥାନକୁ ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ସ୍ଥାପନ ସଂପର୍କରେ ଚାଲିଥିବା ଉଦ୍ୟମ ସଂପର୍କରେ ମଧ୍ୟ ସୂଚାଇଛନ୍ତି। ଉତ୍ତରପ୍ରଦେଶର କୁଶୀନଗର ବିମାନ ବନ୍ଦରକୁ ଏକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପରିଣତ କରିବାକୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ଗ୍ରହଣ କରିଥିବା ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ସେ କହିଛନ୍ତି ଏହାଦ୍ୱାରା ସେ ଅଞ୍ଚଳକୁ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ସୁବିଧାରେ ଯାଇପାରିବେ। ଏହି ନିଷ୍ପତ୍ତି ଫଳରେ ସେ ଅଞ୍ଚଳରେ ଅର୍ଥନୈତିକ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।