![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୭/୦୭: ଆଲିବାବା ଓ ଏହାର ସଂସ୍ଥାପକ ଜ୍ୟାକ୍ ମାଙ୍କୁ ଗୁରୁଗ୍ରାମ କୋର୍ଟ ସମନ୍ ଜାରି କରିଛନ୍ତି। ଏଥିରେ କମ୍ପାନୀ ଓ ସଂସ୍ଥାପକଙ୍କୁ ଜୁଲାଇ ୨୬ ତାରିଖରେ ପ୍ରତିନିଧିଙ୍କ ଦ୍ୱାରା କୋର୍ଟରେ ହାଜର ହେବାକୁ ନୋଟିସ୍ କରାଯାଇଛି। କମ୍ପାନୀରେ କାର୍ଯ୍ୟ କରୁଥିବା ଜନୈକ ପୂର୍ବତନ କର୍ମଚାରୀ ତାଙ୍କୁ ବେଆଇନ ଭାବେ କାର୍ଯ୍ୟରୁ ବହିଷ୍କାର କରାଯାଇଥିବାର ଅଭିଯୋଗ କରିଥିଲେ। ଏଥିରେ ସେ କମ୍ପାନୀର ଫେକ୍ ନ୍ୟୁଜ୍ ପ୍ରସାର ଓ ଖବରର ସେନସରସିପ୍କୁ ବିରୋଧ କରିବାରୁ ତାଙ୍କୁ ଚାକିରୀରୁ ବାହାର କରିଦିଆଯାଇଥିବାର ଅଭିଯୋଗ କରିଥି୍ଲେ।
ଗୁରୁଗ୍ରାମସ୍ଥିତ ଆଲିବାବା ୟୁସି ୱେବ୍ କାର୍ଯ୍ୟାଳୟର ପୁଷ୍ପେନ୍ଦ୍ର ସିଂ ପରମାର ଏହି ଅଭିଯୋଗ ଆଣିଛନ୍ତି। ସେ ଗତ ୨୦୧୭ ମସିହାରୁ ଏହି କମ୍ପାନୀରେ ଆସୋସିଏଟ ଡାଇରେକ୍ଟର ଭାବେ କାର୍ଯ୍ୟ କରିଆସୁଥିଲେ। ତେବେ ନିକଟରେ ଅଚାନକ କମ୍ପାନୀ ନୀତିରେ ପରିବର୍ତ୍ତନ କରିଥିଲେ। ଏଥିରେ ଚୀନ୍କୁ ସୁହାଇବା ଭଳି ଖବରର ସେନସର କରାଯାଉଥିବା ବେଳେ ଭାରତରେ ସାମାଜିକ ଓ ରାଜନୈତିକ ଅସ୍ଥିରତା ସୃଷ୍ଟି କରିବା ଭଳି ଖବର ପ୍ରସାର ଆରମ୍ଭ କରାଯାଇଥିଲା। ତେବେ ଆସୋସିଏଟ ଡାଇରେକ୍ଟର ଭାବେ ସେ ଏହାର ବିରୋଧ କରିଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି।
ତାଙ୍କର ବିରୋଧ ଲାଗି ତାଙ୍କୁ ବେଆଇନ ଭାବେ ଚାକିରୀରୁ ବାହାର କରିଦିଆଯାଇଥିବାର ପରମାର ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ସିଭିଲ ଜଜ୍ ସୋନିଆ ଶିବକଣ୍ଡ ଆଲିବାବା ଓ ଜ୍ୟାକ ମାଙ୍କୁ ସମନ ଜାରି କରିଛନ୍ତି। ଏଥିରେ କୋର୍ଟ ୩୦ଦିନ ମଧ୍ୟରେ କମ୍ପାନୀ ଓ ସଂସ୍ଥାପକଙ୍କୁ ଲିଖିତ ଜବାବ ଦାଖଲ ଲାଗି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ପରମାର ତାଙ୍କ ବହିଷ୍କାରକୁ ବେଆଇନ ବୋଲି ଅଭିଯୋଗ କରିଥିବା ବେଳେ ଏଥିଲାଗି କମ୍ପାନୀଠାରୁ ୨ଲକ୍ଷ ୬୮ ହଜାର ଡଲାର କ୍ଷତିପୂରଣ ଦାବି କରିଛନ୍ତି।
ତେବେ ଭାରତରେ ସରକାର ଚୀନ୍ ଆପ୍ ବ୍ୟାନ କରିବାର ଦୀର୍ଘ ସମୟ ପରେ ପରମାର କୋର୍ଟଙ୍କ ଶରଣାପନ୍ନ ହୋଇଛନ୍ତି। ଭାରତ ସରକାର ଯେଉଁ ସବୁ ଚୀନ୍ ଆପ୍ ଦେଶରେ ନିଷିଦ୍ଧ କରିଛନ୍ତି ଏଥିରେ ଆଲିବାବାର ୟୁସି ବ୍ରାଉଜର ମଧ୍ୟ ରହିଛି। ଯେଉଁଥିରେ ୟୁସି ନ୍ୟୁଜ୍ ସେବା ମଧ୍ୟ ଥିଲା। ତେବେ ପ୍ରଶଙ୍ଗରେ ଆଲିବାବା ସଂସ୍ଥାର କାର୍ଯ୍ୟକର୍ତ୍ତାମାନେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି।