ନୂଆଦିଲ୍ଲୀ : ସିବିଏସ୍ଇ ଦ୍ୱାଦଶ ପରୀକ୍ଷାର ଫଳାଫଳ ମୂଲ୍ୟାଙ୍କନ ପ୍ରକ୍ରିୟା ବଦଳାଇଲା ବୋର୍ଡ | ଏହା ସହ ପରୀକ୍ଷାର ଫଳାଫଳ ଦାଖଲ ପାଇଁ ତାରିଖ ବୃଦ୍ଧି କରିଛି ବୋର୍ଡ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସୋମବାର ଏକ ବିଜ୍ଞପ୍ତି ପ୍ରକାଶ କରି କହିଛି, “ବିଦ୍ୟାଳୟଗୁଡ଼ିକରେ ବାକି ଥିବା ପ୍ରାକ୍ଟିକାଲ୍ / ଇଣ୍ଟରନାଲ ଆସେସମେଣ୍ଟ ବର୍ତ୍ତମାନ କେବଳ ଅନଲାଇନ୍ ମୋଡରେ ହେବ ଏବଂ ୨୮.୦୬. ୨୦୨୧ ସୁଦ୍ଧା ଦିଆଯାଇଥିବା ଲିଙ୍କରେ ମାର୍କ ଅପଲୋଡ୍ କରିବାକୁ ହେବ। ପୂର୍ବରୁ, ମାର୍କ ଦାଖଲ କରିବାର ଶେଷ ତାରିଖ ଥିଲା ୧୧.୦୬.୨୦୨୧ ।ବିଦ୍ୟାଳୟଗୁଡ଼ିକୁ ୧୧.୦୨.୨୦୨୧ରେ ବୋର୍ଡ ଦ୍ୱାରା ସ୍ଥିର କରାଯାଇଥିବା ସର୍ତ୍ତଗୁଡିକୁ ଅନୁସରଣ କରିବାକୁ ପଡ଼ିବ ।
୧.ଥିଓରୀ ଏବଂ ପ୍ରାକ୍ଟିକାଲ୍ / ପ୍ରୋଜେକ୍ଟ / ଇଣ୍ଟରନାଲ ଆସେସମେଣ୍ଟ ପାଇଁ ବିଷୟଗୁଡିକର ତାଲିକା, ପରୀକ୍ଷାର ଅବଧି ଏବଂ ବାହ୍ୟ ପରୀକ୍ଷକ ସିବିଏସଇ ଦ୍ୱାରା ନିଯୁକ୍ତ ହେବେ କି ନାହିଁ, ସେ ନେଇ ସରକାରୀ ୱେବସାଇଟରେ ସବିଶେଷ ତଥ୍ୟ ଉପଲବ୍ଧ ହେବ ।
୨. ଯଦି ଏକ୍ସଟରନାଲ ଶିକ୍ଷକମାନେ ଉପଲବ୍ଧ ନାହାନ୍ତି, ତେବେ ଇଣ୍ଟରନାଲ ଶିକ୍ଷକମାନେ ସିବିଏସଇ ବୋର୍ଡ ଦ୍ୱାରା ଉଲ୍ଲେଖିତ ଲିଙ୍କରେ ମାର୍କ ଅପଲୋଡ୍ କରିପାରିବେ ।
୩. ଯଦି ଏକ୍ସଟରନାଲ ଶିକ୍ଷକମାନେ ସିବିଏସ୍ଇ ଦ୍ୱାରା ନିଯୁକ୍ତ ହୁଅନ୍ତି, ତେବେ ଇଣ୍ଟରନାଲ ଶିକ୍ଷକମାନଙ୍କୁ ସେ ପରାମର୍ଶ ଦେଇ ପରୀକ୍ଷା ତାରିଖ ସ୍ଥିର କରିବେ।
ଆଗକୁ ତାରିଖର କୌଣସି ପରିବର୍ତ୍ତନ ହେବ ନାହିଁ। କରୋନାର ପ୍ରସାରକୁ ବନ୍ଦ କରିବା ପାଇଁ ଶିକ୍ଷକମାନଙ୍କୁ ବୋର୍ଡ ଦ୍ୱାରା ସ୍ଥିର କରାଯାଇଥିବା ନିୟମ ମାନିବାକୁ ପଡ଼ିବ ।