ନୂଆଦିଲ୍ଲୀ/ଡେରାଡୁନ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୮ : ଭାରତୀୟ ସେନାର ୧୧ ଘର୍ୱାଲ ରାଇଫଲର ଯବାନ ହାବିଲଦାର ରାଜେନ୍ଦ୍ର ସିଂହ ନେଗି ଏ ବର୍ଷ ଜାନୁଆରି ମାସରେ କଶ୍ମୀରର ଗୁଲମାର୍ଗ ଅଞ୍ଚଳ ନିୟନ୍ତ୍ରଣ ରେଖା ପାଖରେ ଡିୟୁଟି କରୁଥିବା ସମୟରେ ହଠାତ୍ ବହଳ ବରଫ ମଧ୍ୟକୁ ଖସଡ଼ି ଯାଇଥିଲେ। ଶନିବାର ଦିନ କଶ୍ମୀର ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଅଞ୍ଚଳର ତୁଷାର ମଧ୍ୟରୁ ଜାନୁଆରି ମାସରୁ ନିଖୋଜ ଥିବା ଭାରତୀୟ ସେନାର ଯବାନ ୩୬ ବର୍ଷିୟ ସହିଦ ଯବାନ ହାବିଲ୍ଦାର୍ ରାଜେନ୍ଦ୍ର ସିଂହ ନେଗିଙ୍କ ମର ଶରୀର ଉଦ୍ଧାର କରାଯାଇଛି। । ବିଳମ୍ବିତ ରାତ୍ରୀରେ ଏ ସଂକ୍ରାନ୍ତରେ ନେଗିଙ୍କ ପରିବାରକୁ ସୂଚନା ଦିଆଯାଇଛି।
ନେଗିଙ୍କ ମର ଶରୀର ଠାବ କରିବାରେ ବିଫଳ ହେବା କାରଣରୁ ଜୁନ୍ ମାସରେ ସେନା ତାଙ୍କୁ ‘ସହିଦ’ ଘୋଷଣା କରି ପତ୍ର ଦ୍ୱାରା ଜୁନ୍ ୨୧ ତାରିଖ ଦିନ ତାଙ୍କ ପରିବାରକୁ ଅବଗତ କରାଇଥିଲେ। କିନ୍ତୁ, ସ୍ୱଚକ୍ଷୁରେ ତାଙ୍କ ମର ଶରୀର ନ ଦେଖିବା ପର୍ଯ୍ୟନ୍ତ ତାଙ୍କୁ ସହିଦ ଭାବେ ସ୍ୱୀକାର କରିବେ ନାହିଁ ବୋଲି ପତ୍ନୀ ରାଜେଶ୍ବରୀ ଦେବୀ କହିଥିଲେ। ଡେରାଡୁନ୍ ଠାରୁ ୧୪୭ କିଲୋମିଟର୍ ଦୂର ଚାମୋଲି ଜିଲ୍ଲାବାସୀ ନେଗିଙ୍କର ବିଧବା ପତ୍ନୀ ଓ ତିନି ଜଣ ପିଲା ଅଛନ୍ତି।
ଶନିବାର ସ୍ବାଧୀନତା ଦିବସ ଦିନ ନେଗିଙ୍କ ସେନା ୟୁନିଟ୍ ତାଙ୍କ ପରିବାରକୁ ମର ଶରୀର ମିଳିଥିବା ସୂଚନା ଦେଇଥିଲେ। ସେନା ୟୁନିଟ୍ରୁ ଆସିଥିବା ଫୋନ୍ ଗ୍ରହଣ କରିଥିବା ନେଗିଙ୍କ ଦାଦି ରଘୁବୀର ସିଂହ ନେଗି କହନ୍ତି, ଶନିବାର ବିଳମ୍ବିତ ସନ୍ଧ୍ୟାରେ ତା’ ୟୁନିଟ୍ରୁ ବିୟୋଗାନ୍ତ ଖବର ସଂକ୍ରାନ୍ତ ଫୋନ୍ କଲ୍ ପାଇଲି। ସେମାନେ କହିଲେ ଯେ, ତଲାସ ଅଭିଯାନ ସମୟରେ ତୁଷାର ଗଦା ମଧ୍ୟରୁ ତା’ର ଶବ ମିଳିଥିଲା। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ତା’ ଶବ ଶ୍ରୀନଗରସ୍ଥିତ ମିଲିଟାରି ହସ୍ପିଟାଲ୍କୁ ନିଆଯାଇଛି। ଆବଶ୍ୟକ ଡାକ୍ତରୀ ପ୍ରକ୍ରିୟା ପରେ ସେମାନେ ଆମକୁ ଶବ ହସ୍ତାନ୍ତର କରିବେ।
ରବିବାର ସନ୍ଧ୍ୟାରେ ଶବ ଡେରାଡୁନ୍ରେ ପହଞ୍ଚିବ ବୋଲି ସେମାନେ ପ୍ରଥମେ କହିଥିଲେ, କିନ୍ତୁ ପରେ କହିଲେ ଦୁଇ ତିନି ଦିନ ସମୟ ଲାଗିପାରେ। କାରଣ ଦୀର୍ଘ ଦିନ ହେବ ଶବ ତୁଷାର ଭିତରେ ଥିବାରୁ ହଠାତ୍ ବାହାରକୁ ନେଲେ ନଷ୍ଟ ହୋଇଯିବାର ଆଶଙ୍କା ଅଛି। ତାହା ନ ହେବା ଲାଗି ଡାକ୍ତରମାନେ ଆବଶ୍ୟକ ପ୍ରକ୍ରିୟାକରଣ କରୁଛନ୍ତି।