କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୮/୦୬:ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଏବେ ବିଜେଡିକୁ ଫେରିବା ପାଇଁ ଗୋଡ଼ ଟେକି ବସିଛନ୍ତି। ବିଜେଡିରୁ ସବୁଜ ସଙ୍କେତ ମିଳିବା ମାତ୍ରେ ସେ ବିଜେଡି ସଂଗଠନ ପାଇଁ କାମ କରିବାକୁ ପ୍ରସ୍ତୁତ ଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ଚାଲିଥିବା ରାଜନୀତିକ ବାଦବିବାଦରୁ ବିଜେଡି ଏବେ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ରଖିଥିବାବେଳେ ଡାକ୍ତର ରାଉତ ଉପରେ ପଡ଼ି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସାରେ ଶତମୁଖ ହୋଇପଡ଼ିଛନ୍ତି।
ଗତକାଲି ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ବିରୋଧୀ ଦଳଗୁଡ଼ିକର ଏଭଳି ପ୍ରତିବାଦକୁ ହତାଶ ଓ ଅପଚେଷ୍ଟା ବୋଲି କହି ଡାକ୍ତର ରାଉତ କଡ଼ା ସମାଲୋଚନା କରିବା ସହ ୨୦ବର୍ଷ ଶାସନ କାଳରେ ସବୁକ୍ଷେତ୍ରରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ସାଧିତ ହୋଇଛି ବୋଲି କହିଛନ୍ତି। ଡାକ୍ତର ରାଉତ କରୋନା ମୁକାବିଲା କ୍ଷେତ୍ରରେ ଉଭୟ କଂଗ୍ରେସ ଓ ବିଜେପିଶାସିତ ରାଜ୍ୟର ସ୍ଥିତିର ଉଦାହରଣ ଦେଇ ନବୀନଙ୍କୁ ପ୍ରଶଂସା କରିଥିବାବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସୁରୁଖୁରୁରେ ସମ୍ପାଦ ହେବା ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଜନସାଧାରଣଙ୍କ ସମର୍ଥନ ଓ ଆନୁଗତ୍ୟର ପ୍ରମାଣ ବୋଲି କହିବାକୁ ପଛାଇ ନାହାନ୍ତି।
କରୋନା ମୁକାବିଲା ଓ ପରିଚାଳନାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା ବିରୁଦ୍ଧରେ ଗତକାଲି ୧୨ଟି ରାଜନୀତିକ ଦଳ ରାଜଧାନୀ ଭୁବନେଶ୍ୱରରେ ପ୍ରତିବାଦ କରିବା ସହ ରାଜ୍ୟପାଳଙ୍କୁ ଭେଟି ୧୭ଦଫା ଦାବିପତ୍ର ଦେଇଥିଲେ। ଏହି ପ୍ରସଙ୍ଗରେ ଉଭୟ ବିଜେଡି ଓ ବିଜେପି ନିଜର ଆଭିମୁଖ୍ୟ ରଖିବା ସହ ବିରୋଧୀ ଦଳଗୁଡ଼ିକର ଏଭଳି ସମାବେଶକୁ କଡ଼ା ସମାଲୋଚନା କରିଥିଲେ। ତେବେ ଏସବୁ ଭିତରେ ବିଜେଡିରୁ ବହିଷ୍କୃତ ତଥା ଗତବର୍ଷ ଅକ୍ଟୋବର ମାସରେ ବିଜେପିରୁ ଇସ୍ତଫା ଦେଇଥିବା ଡାକ୍ତର ରାଉତ ଏବେ ନବୀନ ପଟ୍ଟନାୟକ ସରକାରଙ୍କ ସପକ୍ଷରେ ଉପରେ ପଡ଼ି ଯୁକ୍ତି ବାଢ଼ିବାରେ ଲାଗିଛନ୍ତି।
ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡାକ୍ତର ରାଉତ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ସହ କାମ କରିବାକୁ ସେ ପ୍ରସ୍ତୁତ ଅଛନ୍ତି। ବିଜେଡିରେ ସେ ଥିଲେ ଓ ଏବେବି ଅଛନ୍ତି। ବହିଷ୍କାର ଆଦେଶ ଉଠାଇ ଦେଲେ ସେ ଦଳ ପାଇଁ କାମ କରିବେ। ବିଜୁବାବୁଙ୍କ ସହିତ କାମ କରିଛନ୍ତି ଓ ତାଙ୍କ ପୁଅଙ୍କ ସହ ଶେଷ ଯାଏ ରହିବେ। ବିଜେପି ତାଙ୍କୁ ଯେଭଳି ବ୍ୟବହାର କଲା ତାହା ତାଙ୍କୁ କ୍ଷୁବ୍ଧ କରିଛି ବୋଲି ଡାକ୍ତର ରାଉତ କହିଛନ୍ତି।
ସୂଚନାଯୋଗ୍ୟ, ବିଜେଡିରୁ ବହିଷ୍କାର ହେବାପରେ ଡାକ୍ତର ରାଉତ ରାଜ୍ୟବ୍ୟାପୀ ବିଭିନ୍ନ ରାଲିରେ ସାମିଲ ହୋଇ ନବୀନ ପଟ୍ଟନାୟକ ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ଏପରିକି ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେପିରେ ସାମିଲ ହୋଇ ଏରସମାରୁ ଦଳୀୟ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ଗତ ଅକ୍ଟୋବର ମାସରେ ସେ ବିଜେପି ଛାଡ଼ି ଏବେ ବିଜେଡିକୁ ଫେରିବା ନିମନ୍ତେ ଜୋରସୋର ଉଦ୍ୟମ କରୁଥିବା ଜଣାପଡ଼ିଛି।