ଦିଲ୍ଲୀ ବିମାନବନ୍ଦର ଜାରି କଲା ନୂଆ କୋଭିଡ୍-୧୯ ଗାଇଡ୍ଲାଇନ୍ : ବିଦେଶୀ ଯାତ୍ରୀଙ୍କ ପାଇଁ ୭ ଦିନିଆ ବାଧ୍ୟତାମୂଳକ କ୍ବାରେଣ୍ଟିନ୍
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୨/୦୭ : କରୋନା ସଂକ୍ରମଣ ଯୋଗୁ ଦିଲ୍ଲୀର ସ୍ଥିତି ଅଣାୟତ୍ତ ରହିଛି। ଏପରିସ୍ଥଳେ ଅଧିକ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦିଲ୍ଲୀ ବିମାନ ବନ୍ଦର ପକ୍ଷରୁ ବିଦେଶୀ ଯାତ୍ରୀଙ୍କ ଲାଗି ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ଏଣିକି ବିଦେଶୀ ଯାତ୍ରୀ ୭ ଦିନିଆ ବାଧ୍ୟତାମୂଳକ କ୍ୱାରାଣ୍ଟାଇନରେ ରହିବେ।
![](https://i0.wp.com/kalingajyoti.com/wp-content/uploads/2020/07/International-Airport-Delhi-PTI.jpg?resize=462%2C330&ssl=1)
ଦିଲ୍ଲୀରେ ପହଞ୍ଚୁଥିବା ଆନ୍ତର୍ଜାତିକ ଯାତ୍ରୀମାନଙ୍କ ସକାଶେ ଦିଲ୍ଲୀ ବିମାନ ବନ୍ଦର କର୍ତ୍ତୃପକ୍ଷ ମଙ୍ଗଳବାର ଦିନ ସଦ୍ୟ ମାର୍ଗଦର୍ଶିକା ଜାରି କରିଛନ୍ତି। ନୂଆ ମାର୍ଗଦର୍ଶିକା ଅନୁସାରେ, ସମ୍ପୃକ୍ତ ଯାତ୍ରୀମାନେ ନିଜ ବ୍ୟୟରେ ୭ ଦିନ ସରକାରୀ କ୍ବାରେଣ୍ଟିନ୍ରେ ରହିବା ପରେ ଆଉ ଗୋଟିଏ ସପ୍ତାହ ହୋମ୍ କ୍ବାରେଣ୍ଟିନ୍ରେ ରହିବେ।
ଏହି ନିୟମକୁ ମାନିବେ ବୋଲି ଯାତ୍ରୀମାନଙ୍କୁ ଏକ ଅଙ୍ଗୀକାରପତ୍ର ବା ଅଣ୍ଡର୍ଟେକିଙ୍ଗ୍ରେ ସ୍ବାକ୍ଷର କରିବାକୁ ପଡ଼ିବ। ଟିକେଟ୍ ବୁକିଙ୍ଗ୍ କନ୍ଫର୍ମ ହେବା ପୂର୍ବରୁ ସ୍ବାକ୍ଷରିତ ଅଙ୍ଗୀକାରପତ୍ରଟି ଦରିଆପାରି ମିସନ୍/ଦୂତାବାସକୁ ଦିଆଯିବ ବୋଲି ଦିଲ୍ଲୀ ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି।
![](https://kalingajyoti.com/wp-content/uploads/2020/07/jfkfjkfjkf.jpg)
ମାର୍ଗଦର୍ଶିକା ଅନୁସାରେ ଯେଉଁମାନେ ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳରେ ରହିବାକୁ ଯୋଜନା କରୁଛନ୍ତି, ସେମାନଙ୍କ ପାଇଁ ସ୍ବାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ। ପ୍ରଥମେ ବିମାନ ବନ୍ଦର ସ୍ବାସ୍ଥ୍ୟ କର୍ମଚାରୀ ଏବଂ ପରେ ଦିଲ୍ଲୀ ସରକାରୀ ପୋଷ୍ଟ୍ରେ ଥିବା ସ୍ବାସ୍ଥ୍ୟ ଅଧିକାରୀମାନେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବେ। ଏହା ପରେ ଯାଇ ଯାତ୍ରୀମାନଙ୍କୁ ସେମାନଙ୍କ ଲାଗି ଅନୁମୋଦିତ ସ୍ଥାନକୁ ଯିବା ଲାଗି ଅନୁମତି ଦିଆଯିବ।
କିନ୍ତୁ, ଅନ୍ତଃସତ୍ତ୍ବା ମହିଳା, ପରିବାରରେ କାହାରି ମୃତ୍ୟୁ ହୋଇଥିବା ବ୍ୟକ୍ତି, ସାଙ୍ଘାତିକ ସ୍ବାସ୍ଥ୍ୟଗତ ସମସ୍ୟା ଏବଂ ୧୦ ବର୍ଷ କମ୍ ବୟସ୍କ ପିଲାର ପିତାମାତା ଭଳି ଚାରି ଶ୍ରେଣୀର ଯାତ୍ରୀମାନଙ୍କ ପ୍ରତି ଉପରୋକ୍ତ ନିୟମ ଲାଗୁ ହେବ ନାହିଁ। ମାତ୍ର ଏଥି ନିମନ୍ତେ ସମୁଚ୍ଚିତ କାଗଜପତ୍ର ଆବଶ୍ୟକ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, କରୋନାଭାଇରସ୍ ସଂକ୍ରମଣ ରୋକିବାକୁ ମାର୍ଚ ମାସରୁ ଭାରତ ସରକାର ଆନ୍ତର୍ଜାତିକ ବିମାନ ଚଳାଚଳ ସ୍ଥଗିତ ରଖିଛନ୍ତି। କେବଳ ବନ୍ଦେ ଭାରତ ମିସନ୍ ଜରିଆରେ ବିଦେଶରେ ଅଟକି ରହିଯାଇଥିବା ଭାରତୀୟମାନଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଆନ୍ତର୍ଜାତିକ ବିମାନ ଚଳାଚଳ ହେଉଛି। ସେହିଭଳି ଭାରତରେ ରହିଯାଇ ଥିବା ବିଦେଶୀ ନାଗରିକଙ୍କୁ ନେବା ପାଇଁ ସମ୍ପୃକ୍ତ ଦେଶମାନଙ୍କର ବିମାନ ମଧ୍ୟ ଭାରତକୁ ଆସୁଛି। ଜୁଲାଇ ୧୫ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଭାରତ ସରକାର ଆନ୍ତର୍ଜାତିକ ବିମାନ ଚଳାଚଳ ଉପରେ ନିଷେଧାଦେଶ ବଢ଼ାଇ ଦେଇଛନ୍ତି।