![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ସେପ୍ଟେମ୍ବର ୨୯ ତାରିଖ ପୂର୍ବରୁ ବିଧାନସଭା ସଚିବ ତଥା ବିଧାନସଭାର ସବୁ କର୍ମଚାରୀଙ୍କର ମଧ୍ୟ ହେବ କୋଭିଡ ପରୀକ୍ଷା
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୯ : ଆଗାମୀ ୨୯ ତାରିଖରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ତେବେ ଏହି ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କ କରୋନା ପରୀକ୍ଷା କରାଯିବ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏସମ୍ପର୍କରେ ବିଏମସି ଓ କ୍ୟାପିଟାଲ ହସପିଟାଲ କର୍ତୃପକ୍ଷଙ୍କୁ ପତ୍ର ଲେଖାଯାଇଛି ।
ଏ ସମ୍ପର୍କରେ ମିଳିଥିବା ସୂଚନା ଅନୁସାରେ ଆଗାମୀ ୨୭ ଓ ୨୮ ତାରିଖରେ ବିଧାନସଭା ପରିସରରେ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇ ସବୁ ବିଧାୟକ, ସେମାନଙ୍କ ଡ୍ରାଇଭର ଓ ବ୍ୟକ୍ତିଗତ ସୁରକ୍ଷା କର୍ମୀ, ବିଧାନସଭାର ସଚିବ ଓ ସବୁ କର୍ମଚାରୀଙ୍କ ଆରଟିପିସିଆର ପରୀକ୍ଷା କରାଯିବ । ମୁଖ୍ୟମନ୍ତ୍ରୀ, ସବୁ ମନ୍ତ୍ରୀ, ବିରୋଧୀଦଳ ନେତାଙ୍କ ଅଫିସ କର୍ମଚାରୀଙ୍କ ଟେଷ୍ଟ କରାଯିବ । ସେହିପରି ଅକ୍ଟୋବର ୪ ରେ ପୁଣି ଥରେ ପରୀକ୍ଷା କରାଯିବ । ଅଧିବେଶନ ମଝିରେ କୌଣସି କାହାକୁ ଅସ୍ୱାଭାବିକ ଲାଗିଲେ ପୁଣିଥରେ ଆଂଟିଜେନ ପରୀକ୍ଷା କରା ଯାଇ ପାରିବ ବୋଲି ସୂଚନା ମିଳିଛି ।
![](https://kalingajyoti.com/wp-content/uploads/2020/09/1200px-16th_Odisha_Assembly-1-1024x668.jpg)
ଏଠାରେ ଉଲ୍ଲେଖ କରା ଯାଇ ପାରେ ଯେ ଆସନ୍ତା ସେପ୍ଟେମ୍ବର ୨୯ରୁ ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବା ନେଅ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଧାନସଭାର ଏହି ଅଧିବେଶନ ଆଗାମୀ ଅକ୍ଟୋବର ୭ ପର୍ଯ୍ୟନ୍ତ ଚାଲିବ । ଏଥିରେ ମୋଟ ୮ଟି କାର୍ଯ୍ୟ ଦିବସ ରହିବ । ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ପାଇଁ ବିଧାନସଭା ବନ୍ଦ ରହିବ । ତେବେ ଅକ୍ଟୋବର ୪ ତାରିଖ ରବିବାର ହେଲେ ମଧ୍ୟ ବିଧାନସଭାର ଅଧିବେଶନ ଚାଲିବ ବୋଲି ସୂଚନା ଦିଆ ଯାଇଛି ।