ବୈତରଣୀରେ ପ୍ରଥମ ବନ୍ୟା ଜଳ: ହଜାର ହଜାର ହେକ୍ଟର ଚାଷ ଜମି ଜଳ ମଗ୍ନ !! ଆରଡ଼ି – ମତୋ ରାସ୍ତା ଉପରେ ୩ ଫୁଟର ବନ୍ୟା ପାଣି
ଭଦ୍ରକ/ଆରଡ଼ି,(କଳିଙ୍ଗ ଜ୍ୟୋତି ବ୍ୟୁରୋ/ମଣିପ୍ରସାଦ ପାଢୀ),୨୨/୦୮ : ଗତ କିଛି ଦିନର ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଏବେ ବୈତରଣୀ ନଦୀରେ ପ୍ରଥମ ବନ୍ୟା ଆସିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଆରଡ଼ି, ନନ୍ଦପୁର, ସୁନ୍ଦରପୁର ତଥା ଓଳଗ ଆଦି ପଞ୍ଚାୟତ ଅଧିନସ୍ତ ଅନେକ ଅଞ୍ଚଳରେ ଉପର ମୁଣ୍ଡରୁ ବର୍ଷା ଜଳ ଏବଂ ବନ୍ୟା ପାଣି ଆସି ତଳିଆ ଅଞ୍ଚଳରେ ପ୍ରବେଶ କରିଛି । ବନ୍ୟା ଆସିବା ଖବର ଶୁଣି ନଦୀକୂଳିଆ ଅଞ୍ଚଳ ଲୋକେ ଭୟଭୀତ ହୋଇପଡିଛନ୍ତି ।
ବନ୍ୟା ପାଣି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ଆରଡ଼ି, ନନ୍ଦପୁର, ସୁନ୍ଦରପୁର ତଥା ଓଳଗ ପଞ୍ଚାୟତର କିଛି ଗାଁ କୁ ମଧ୍ୟ ପ୍ରବେଶ କରିଛି । ଆରଡ଼ି – ମତୋ ମୁଖ୍ୟ ରାସ୍ତାର ଭୁଇଁପୁର ଘସରା ଉପରେ ୩ ଫୁଟର ବନ୍ୟା ପାଣି ପ୍ରବାହିତ ହେଉଛି, ଯାହାଫଳରେ ସ୍ଥାନୀୟ ଲୋକ ମାନେ ଯା’ଆସ କରିପାରୁ ନାହାନ୍ତି ଏବଂ ଗମନାଗମନରେ ମଧ୍ୟ ନାନାବିଧ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ୪ଟି ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷ ଜମିକୁ ବନ୍ୟା ଜଳ ମାଡି ଯାଇଛି ଏବଂ ବନ୍ୟା ପାଣି ସମସ୍ତ ଚାଷ ଜମିକୁ ବୁଡାଇ ରଖିଛି ।
ତେବେ ଗତକାଲି, କିଛି ଚାଷ ଜମି ବନ୍ୟା ପାଣି ମାଡିଥିବା ବେଳେ, ଆଜି ସମଗ୍ର ଅଞ୍ଚଳଟି ସମ୍ପୂର୍ଣ ଭାବେ ଜଳମଗ୍ନ ହୋଇଛି ଏବଂ ସବୁ ଚାଷ ଜମି ବନ୍ୟା ଜଳରେ ବୁଡିଯାଇଛି । ସେହିପରି ବୋଡ଼କ ଗ୍ରାମର ପଦା ଉପରେ ଘର କରି ରହିଥିବା କିଛି ଘର ପାଣି ଘେରରେ ଅଛି । ଏପରିକି ନଳକୂପ ଚାରିପାଖରେ ମଧ୍ୟ ପାଣି ଜମି ରହିଥିବାରୁ ଲୋକେ ଭେଳା ସାହାଯ୍ୟରେ ଆସି ଘରକୁ ପିଇବା ପାଣି ନେଉଥିବା ଦେଖିବାକୁ ମିଳିଛି ।
ସ୍ଥାନୀୟ ଲୋକେ ଏଭଳି ଦୁର୍ଦ୍ଦଶା ଭୋଗୁଥିବା ବେଳେ, ଆଗକୁ ଆଉ ଏକ ଲଘୁଚାପ ନେଇ ସତର୍କ ଜାରି କରାଯାଇଛି । ତେଣୁ, ଆଗାମୀ ଲଘୁଚାପରେ ଯଦି ଅଧିକ ବର୍ଷା ହୁଏ ତେବେ ଏହି ୪ଟି ପଞ୍ଚାୟତରେ ବ୍ୟାପକ କ୍ଷୟ-କ୍ଷତି ଘଟିବା ନେଇ ସ୍ଥାନୀୟ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି ।