କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ ୨୮/୦୬ : LACରେ ଯୁଦ୍ଧ ଭଳି ପରିସ୍ଥିତି। ଉଭୟ ଚୀନ ଓ ଭାରତ ନିଜ ନିଜ ସ୍ଥିତିରେ ଅଟଳ ଅଛନ୍ତି। କେହି କାହା ପୋଜିସନରୁ ହଟୁନାହାନ୍ତି। ମିଲିଟାରି ଓ କୂଟନୈତିକ ସ୍ତରରେ ବାରମ୍ବାର ଆଲୋଚନା ପରେ ମଧ୍ୟ ସମାଧାନର କୌଣସି ସୂତ୍ର ବାହାରି ପାରି ନାହିଁ। ପୂର୍ବ ସ୍ଥିତି ବଜାୟ ରଖାଯାଉ ବୋଲି ଭାରତ ଚୀନ ନିକଟରେ ଦାବି କରିଛି। ଚୀନ ସେନା ନିଜ ପୂର୍ବ ଅବସ୍ଥିତିକୁ ଫେରିଯାଉ ବୋଲି ଭାରତ ଚାହୁଁଛି। କିନ୍ତୁ ଚୀନ ହଟୁ ନାହିଁ। ତେଣୁ ମୁହାଁମୁହିଁ ପରିସ୍ଥିତି ରହିଛି। ଉତ୍ତେଜନା ଲାଗି ରହିଥିବାରୁ ଉଭୟ ପକ୍ଷ ସୀମାରେ ସେନା ଠୁଳ କରୁଥିବାର ଖବର ଆସିଛି।
ଚଣ୍ଡିଗଡ଼ ଏୟାର ବେସରୁ ଭାରତୀୟ ବାୟୁ ସେନା C-17 ଜରିଆରେ ଲଦାଖକୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରାଯାଉଛି। ଉତ୍ତର ଭାରତର ବିଭିନ୍ନ ବେସ୍ରୁ T-90 ଟ୍ୟାଙ୍କ, ଆର୍ଟିଲାରି ଗନ୍, ମେକାନାଇଜ୍ଡ ଇନ୍ଫାନ୍ଟ୍ରି, ଏୟାର ସର୍ଭିଲାନ୍ସ ରାଡାର, ଫାଇଟର ଜେଟ୍, ହେଲିକପ୍ଟର ସବୁ ଲଦାଖକୁ ନିଆଯାଉଛି। ମାସେ ଭିତରେ ଲଦାଖରେ ୪୫ ହଜାର ସୈନ୍ୟ ମୁତୟନର ଲକ୍ଷ୍ୟ ରଖିଛି ଭାରତୀୟ ସେନା।
ଏଲ୍ଏସିର ୬୫ଟି ପଏଣ୍ଟରେ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ଚୀନ ସୀମାକୁ ଲାଗି କରି ରହିଥିବା ୩ଟି ଲାଣ୍ଡି ଗ୍ରାଉଣ୍ଡ-DBO, ଡେପସାଙ୍ଗ ଓ ନାୟୋମାକୁ ପ୍ରସ୍ତୁତ କରି ରଖାଗଲାଣି। ସେହିପରି ଚୀନ ମଧ୍ୟ ଟ୍ୟାଙ୍କ, ମିସାଇଲ, ଫାଇଟର ପ୍ଲେନ ଓ ସୈନ୍ୟସାମନ୍ତ ଠୁଳ କରୁଥିବାର ଖବର ଆସିଛି। ଫିଙ୍ଗର ପଏଣ୍ଟ ଫୋର୍ରେ ପିଏଲ୍ଏ ହେଲିପ୍ୟାଡ୍ ତିଆରି କରୁଥିବାର ଖବର ଆସିଛି। ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଆର୍ମିକୁ କୁହାଯାଇଥିବାର ସୂଚନା ରହିଛି।
ଏପରିକି ଅଧିକ ଦିନ ବର୍ତ୍ତମାନର ପରିସ୍ଥିତି ରହିପାରେ। ତେଣୁ ସେଥି ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ଟପ୍ ଲେବଲରେ ନିଷ୍ପତ୍ତି ନିଆଯାଇଛି। ୨-୩ ମାସ ଧରି ଏପରି ମୁହାଁମୁହିଁ ପରିସ୍ଥିତି ଲାଗି ରହିବାର ଆଶଙ୍କା ଅଛି। ତିନି ମାସ ପରେ ଲଦାଖରେ ବରଫ ପଡ଼ିବ। ଏହା ପ୍ରାୟତଃ ୬ ମାସ ଧରି ଏକ ପ୍ରକାର ବିଚ୍ଛିନ୍ନ ହୋଇ ପଡ଼ିବ। ସେହି ସମୟରେ ମଧ୍ୟ ସେନାରେ ସେଠାରେ ଉପସ୍ଥିତ ରହି ପରିସ୍ଥିତି ଉପରେ ତୀକ୍ଷଣ ନଜର କରିବାକୁ କୁହାଯାଇଛି।