ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି) ୨୬/୦୬ : ଉଭୟ ପକ୍ଷର ସୈନ୍ୟ ଛାଉଣୀ ଓ ଅସ୍ତ୍ରଶସ୍ତ୍ର ଠୁଳ ରଣନୀତି ଆଗାମୀ ଦିନରେ ଯୁଦ୍ଧକୁ ଆମନ୍ତ୍ରଣ କରିପାରେ ବୋଲି ବିଭିନ୍ନ କୂଟନୈତିଜ୍ଞ ମାନେ ମତ ଦେଉଛନ୍ତି । ଲଦାଖ ସୀମାରେ ଭାରତ-ଚୀନ୍ ମଧ୍ୟରେ ସୀମା ବିବାଦ ଭୟଙ୍କର ସ୍ଥିତି ଆଡକୁ ଗତି କରୁଛି, ଏଲ୍ଏସିରେ ସ୍ଥିତାବସ୍ଥା ବଦଳାଇବାକୁ ଚୀନ୍ର ଉଦ୍ୟମ। ଜୁନ୍ ୧୫ରେ ଗଲୱାନ ଘାଟିରେ ହୋଇଥିବା ସଂଘର୍ଷରେ ୨୦ ଭାରତୀୟ ବୀର ଯବାନ ସହିଦ ହୋଇଥିଲେ । ସେହିପରି ଚୀନ୍ ପକ୍ଷରୁ ମଧ୍ୟ ବ୍ୟାପକ ସୈନ୍ୟ ମୃତାହତ ହୋଇଥିଲେ । ଅନ୍ୟପଟେ ସୀମାରେ ଉତ୍ତେଜନା ହ୍ରାସ ସହ ଶାନ୍ତି ଫେରାଇ ଆଣିବା ପାଇଁ ଉଭୟ ଦେଶର କୂଟନୈତିକ ଓ ସାମରିକ ସ୍ତରରେ ଆଲୋଚନା ହେଉଛି ।
ତେବେ ଭାରତକୁ ଶାନ୍ତି ପ୍ରସ୍ତାବ ଦେଇ ଚୀନ୍ର ଏଭଳି ରଣନୀତିକୁ ଆଜି ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତ କେବେବି ସୀମାରେ ସ୍ଥିତା ବସ୍ଥାକୁ ପରିବର୍ତ୍ତନ ପାଇଁ ଉଦ୍ୟମ କରିନି । ମାତ୍ର ଚୀନ୍ ସୀମା ରାଜିନାମାକୁ ଉଲ୍ଲଘଂନ କରିଚାଲିଛି । ଚୀନ୍ ଏକପାଖିଆ ଭାବେ ଏଲ୍ଏସିରେ ସ୍ଥିତାବସ୍ଥାକୁ ପରିବର୍ତ୍ତନ କରିବା ପାଇଁ ବ୍ୟାପକ ନିର୍ମାଣ କାର୍ଯ୍ୟ କରୁଛି । ଏହାସହିତ ୧୫ ହଜାରରୁ ଊର୍ଦ୍ଧ୍ୱ ସୈନ୍ୟ ଓ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ମଧ୍ୟ ଠୁଳ କରିଛି ।