ଜେନେଭା : ଭାରତରେ ତିଆରି ହେଉଥିବା ନାଜାଲ ଟିକା ପିଲାଙ୍କ ପାଇଁ ଚିକିତ୍ସା କ୍ଷେତ୍ରରେ ଏକ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ। ତେବେ ଏହି ଟିକା ଚଳିତ ବର୍ଷ ଉପଲବ୍ଧ ହୋଇନପାରେ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୋମ୍ୟା ସ୍ୱାମୀନାଥନ୍। ଦେଶକୁ କୋଭିଡର ତୃତୀୟ ଲହର ଗ୍ରାସ କରିବ ଏବଂ ତାହା ପିଲାମାନଙ୍କୁ ଅଧିକ ସଂକ୍ରମିତ କରିବା ଆଶଙ୍କା ପ୍ରକାଶ ପାଉଥିବା ଅବସରରେ ଏବେ ପିଲାଙ୍କ ପାଇଁ ଭାରତ ତିଆରି ନାଜାଲ ଟିକା ଆଶାର ସଂଚାର କରିଛି।
ଜଣେ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଭାବରେ ପରିଚିତା ସ୍ୱାମୀନାଥନ୍ ଏକ ଟେଲିଭିଜନ ଚାନେଲକୁ ସାକ୍ଷାତକାର ଦେଇ କହିଛନ୍ତି, ଭାରତରେ କେତେକ ନାଜାଲ ଟିକା ସଂପ୍ରତି ପ୍ରସ୍ତୁତି ପର୍ଯ୍ୟାୟରେ ରହିଛି। ଏହା ପିଲାମାନଙ୍କ ପାଇଁ ଯଥେଷ୍ଟ ସହାୟକ ହେବ। ଏହା ଦେବା ସହଜ ଏବଂ ଏହା ନାସାରନ୍ଧ୍ରରେ ସ୍ଥାନୀୟ ସଂକ୍ରମଣକୁ ପ୍ରତିହତ କରିବାରେ ସମର୍ଥ ହୋଇପାରିବ। ତେବେ ସେପର୍ଯ୍ୟନ୍ତ ଅଧିକରୁ ଅଧିକ ବୟସ୍କ ଲୋକ, ବିଶେଷକରି ଶିକ୍ଷକ ଓ ଅଭିଭାବକମାନେ ଟିକା ନେବାର ଆବଶ୍ୟକତା ରହିଛି। ତାହାସହିତ ଗୋଷ୍ଠୀ ସଂକ୍ରମଣ ଯେତେବେଳେ ସର୍ବନିମ୍ନ ସ୍ତରରେ ରହିଥିବ, ସେହି ସମୟରେ ବିଦ୍ୟାଳୟ ଖୋଲିବାକୁ ଅନୁମତି ଦିଆଯିବା ଉଚିତ। ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡିକ ମଧ୍ୟ ସେହିଭଳି ପଦକ୍ଷେପ ନେଇଛନ୍ତି। ତାହାସହିତ ଅନ୍ୟାନ୍ୟ ସୁରକ୍ଷା ପଦକ୍ଷେପ ମଧ୍ୟ ନେବାକୁ ପଡିବ।