କଳିଙ୍ଗ ଜ୍ୟୋତି ବ୍ୟୁରୋ ପୁରୀ ୨୮/୦୬: ଗତକାଲି ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଆସି ନନ୍ଦିଘୋଷ ରଥର ଚକ ଭାଙ୍ଗିବା ପରେ ଆଜିଠୁ ଆରମ୍ଭ ହୋଇଛି ବାହୁଡ଼ା ପ୍ରସ୍ତୁତି। ଏଥିପାଇଁ ତିନୋଟି ରଥର ଆଜି ଦକ୍ଷିଣ ମୋଡ଼ କରାଯାଉଛି।
ପ୍ରଥମେ ବଡ଼ଠାକୁରଙ୍କ ରଥ ତାଳଧ୍ୱଜ ଏହାପରେ ଦେବଦଳନ ଓ ଶେଷରେ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ କରାଯିବ। ରଥଗୁଡ଼ିକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ପାଖରେ ରଖାଯିବ।
ଆଜି ମହାପ୍ରଭୁଙ୍କ ପାଖରୁ ଆଜ୍ଞାମାଳ ଆସି ବିଜେ କରାଯିବା ପରେ ରଥଗୁଡ଼ିକୁ ଦକ୍ଷିଣ ମୋଡ଼ କରାଯାଉଛି। ପୋଲିସ କର୍ମୀମାନଙ୍କ ସାହାଯ୍ୟରେ ରଥଗୁଡ଼ିକୁ ଦକ୍ଷିଣ ମୋଡ଼ କରାଯାଉଛି। ଆସନ୍ତା ୧ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି।