![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ମାଲକାନଗିରି, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୩୦/୦୬ : ୨୯ଜଣ ଯବାନଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଥିବା ନେଇ ମାଲକାନଗିରି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି ଜିଲ୍ଲାର ୨୯ଜଣ ବିଏସଏଫ ଯବାନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଆଜି ଜିଲ୍ଲାରୁ ୩୬ଟି ନୂଆ କୋଭିଡ-୧୯ ମାମଲା ସାମ୍ନାକୁ ଆସିଛି। ଏମାନଙ୍କ ମଧ୍ୟରୁ ଚାରିଜଣ ତାମିଲନାଡୁ ଓ ତିନିଜଣ ନୂଆଦିଲ୍ଲୀରୁ ଫେରି ଘରେ କ୍ୱାରେଣ୍ଟାଇନ୍ରେ ରହିଥିଲେ।
![](https://i0.wp.com/kalingajyoti.com/wp-content/uploads/2020/06/3d56bb6c-7e10-486c-85ad-7b2872da1925-1024x915.jpg?resize=1024%2C915)
କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଏହି ୨୯ଜଣ ଯବାନ ବିହାର, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟରୁ କିଛିଦିନ ତଳେ ଫେରିଥିଲେ। ଫେରିବା ପରେ ଉକ୍ତ ବିଏସ୍ଏଫ୍ ଯବାନଙ୍କୁ ମାଲ୍ୟାବନ୍ତ ବାଳକ ହଷ୍ଟେଲ ଏବଂ ଜୁନିଅର ସାଇନ୍ସ କଲେଜ ସମେତ ବିଭିନ୍ନ ଅସ୍ଥାୟୀ ମେଡିକାଲ କ୍ୟାମ୍ପ (ଟିଏମସି)ରେ କ୍ୱାରେଣ୍ଟାଇନ୍ରେ ରଖାଯାଇଥିଲା।
![](https://kalingajyoti.com/wp-content/uploads/2020/06/download-21.jpg)
ମାଲକାନଗିରି ଜିଲ୍ଲାରେ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମୋଟ ୯୬ ଟି ପଜିଟିଭ୍ ମାମଲା ସାମ୍ନାକୁ ଆସିଥିବା ବେଳେ ୪୪ଟି ସକ୍ରିୟ କରୋନା ମାମଲା ରହିଛି। ୫୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସକ୍ରିୟ କରୋନା ଆକ୍ରାନ୍ତଙ୍କୁ ଯୋଗାଯୋଗ କରାଯିବା ସହିତ ଲୋକମାନଙ୍କୁ ମାସ୍କ ବାଧ୍ୟତାମୂଳକ ସହିତ ସାମାଜିକ ଦୂରତା ଅବଲମ୍ବନ କରି ରହିବାକୁ ମାଲକାନଗିରି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।