ମାଲକାନଗିରି / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୨ା୭ : ଆଜି ମାଲକାନଗିରି ଏସ.ପି.ଙ୍କ ପାଖରେ ଦୁଇ ଜଣ ହାର୍ଡ କୋର ମାଓବାଦୀ ଦମ୍ପତ୍ତି ଆତ୍ମସମର୍ପଣ କରିଛନ୍ତି । ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଦୀର୍ଘ ୮ ବର୍ଷ ଧରି ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ ଏହି ନକ୍ସଲ ଦମ୍ପତ୍ତି । ଉଭୟେ ପରସ୍ପରକୁ ଭଲ ପାଉଥିଲେ ।
ଆତ୍ମ ସମର୍ପଣ କରିଥିବା ନକ୍ସଲ ଦ୍ୱୟ ହେଲେ କାନା ମାଢି ଓ ପୁନମ ମିଲିଟାରୀ । କାନା ମାଢି ଆନ୍ଧ୍ର ଓଡିଶା ବୋର୍ଡର ଷ୍ପେସାଲ ଜୋନାଲ କମିଟିର ଏରିଆ କମାଣ୍ଡର ରହିଥିବା ବେଳେ ଲାକେ ପୁନମ ମିଲିଟାରୀ ପ୍ଲାଟୁନର ସଦସ୍ୟ ଥିଲେ । କାନା ମାଢିଙ୍କ ନିଜ ଘର କାଲିମେଳା ଥାନା ଅନ୍ତର୍ଗତ ସୁଧାକୋଣ୍ଡାରେ ହୋଇଥିବା ବେଳେ ଲାକେ ପୁନମଙ୍କ ନିଜ ଘର ଛତିଶଗଡ ବିଜାପୁର ଜିଲ୍ଲାରେ ବୋଲି ଜଣା ପଡିଛି ।
ଚିତ୍ରକୋଣ୍ଡା ଅଞ୍ଚଳରେ ସକ୍ରିୟ ଥିବା ଏହି ଦୁଇ ନକ୍ସଲ ଦମ୍ପତ୍ତିଙ୍କ ନାମରେ ପୁର୍ବରୁ ଅନେକ ମାମଲା ରହିଛି । କାନା ମାଢିଙ୍କୁ ଧରିବା ଲାଗି ପୁର୍ବରୁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଥିବା ବେଳେ ପୁନମଙ୍କ ଲାଗି ୨ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଥିଲେ । ତେବେ ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ସ୍ବାଭିମାନ ଅଞ୍ଚଳରେ ପୋଲିସର ଛାଉଣି ହୋଇଥିବା ବେଳେ ସେଠାରେ ବିକାଶ ଧାରା ଆଗେଇ ଚାଲିଛି ଯାହାକୁ ତେଲୁଗୁ ମାଓନେତା ମାନେ ବିରୋଧ କରୁଥିବାରୁ ଏହି ଦୁଇ ଜଣ ସଂଗଠନ ଛାଡି ପୋଲିସ ପାଖରେ ଆତ୍ମ ସମର୍ପଣ କରିଛନ୍ତି ।