କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ: ପୃଥିବୀ ପ୍ରତି ମାଡ଼ି ଆସୁଛି ବଡ଼ ବିପଦ। ମହାକାଶରୁ ପୃଥିବୀ ମୁହାଁ ବିରାଟକାୟ ଉଲ୍କା ପିଣ୍ଡ। ଆଉ କିଛି ଘଣ୍ଟା ମଧ୍ୟରେ ଏହି ଉଲ୍କାପିଣ୍ଡ ପୃଥିବୀ ନିକଟ ଦେଇ ଅତିକ୍ରମ କରିବ ବୋଲି ଆଶଙ୍କା କରାଯାଉଛି।
ଏହି ଉଲ୍କା ପିଣ୍ଡ ଏତେ ବେଗରେ ଆସୁଛି ଯେ ଯଦି ଏହା ପୃଥିବୀରେ ମାଡ଼ ହୁଏ ତେବେ ମାଇଲ ମାଇଲ ଦୂର ଯାଏ କ୍ଷତି ଘଟାଇବ ବୋଲି ଆଶଙ୍କା କରାଯାଉଛି। ଏପରିକି ଏହା ଯଦି ସମୁଦ୍ରରେ ପଡ଼େ ତେବେ ସୁନାମୀ ସୃଷ୍ଟି କରିବାର ଭୟ ବି ରହିଛି।
ମିଳିଥିବା ସୂଚନା ଅନୁସାରେ, ଏହି ବିରାଟକାୟ ଉଲ୍କା ପିଣ୍ଡ ସେକେଣ୍ଡ ପ୍ରତି ୧୩ କିଲୋମିଟର ବେଗରେ ପୃଥିବୀ ଆଡ଼କୁମାଡ଼ି ଆସୁଛି। ଏହାର ଅର୍ଥ ଘଣ୍ଟା ପ୍ରତି ୪୬ ହଜାର ୫ ଶହ କିଲୋମିଟର ବେଗରେ ଗତି କରୁଛି ଏହି ଉଲ୍କା ପିଣ୍ଡ।
କୁହାଯାଉଛି, ଏହା ଦିଲ୍ଲୀର କୁତବ ମିନାରଠାରୁ ୪ ଗୁଣା ଓ ଆମେରିକାର ଷ୍ଟାଚ୍ୟୁ ଅଫ୍ ଲିବର୍ଟିଠାରୁ ପ୍ରାୟ ତିନିଗୁଣାବଡ଼। ଏହି ଉଲ୍କା ପିଣ୍ଡ ନାମ 2010 NY65 ରଖାଯାଇଛି। ଏହାର ଲମ୍ବା ୧୦୧୭ ଫୁଟ। ନାସା ପକ୍ଷରୁ କୁହାଯାଇଛି ଯେ, ଏହା ପୃଥିବୀଠାରୁ ୩୭ ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିବ। ତେବେ ପୃଥିବୀ ପ୍ରତି କୌଣସି ବିପଦ ନ ଥିବା ନାସା କହିଛି।
ଜୁନ୍ ମାସରେ ପୃଥିବୀ ନିକଟ ଦେଇ ଉଲ୍କା ପିଣ୍ଡ ଗତି କରିବାର ଏହା ହେବ ତୃତୀୟ ଘଟଣା। ପୂର୍ବରୁ ଜୁନ୍ ୬ରେ ପୃଥିବୀ ଦେଇ ଅତିକ୍ରମ କରିଥିଲା ଆଉ ଏକ ଉଲ୍କା ପିଣ୍ଡ। ଯାହାର ନାଁ ଥିଲା 2002 NH4 ।