ରାଜଗାଙ୍ଗପୁର, (କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜୀତ ସ୍ୱାଇଁ),୧୬/୦୭ : ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସହରରେ ଥିବା ଡାଲମିଆ ଭାରତ ଗ୍ରୁପର ସିମେଣ୍ଟ କାରଖାନରୁ ବାହାରୁଥିବା ବିଷାକ୍ତ ଗ୍ୟାସରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହାର ପ୍ରତିବାଦରେ SUCI ଶ୍ରମିକ ସଂଗଠନର ପକ୍ଷରୁ ସଂଗଠନର ସେକ୍ରେଟେରୀ ଓ ତାଙ୍କର ସହଯୋଗୀ ମାନେ ଡାଲମିଆ ଭାରତ ସିମେଣ୍ଟ କାରଖାନର ଲାଇନ – 2 ର ମୂଖ୍ୟ ଫାଟକ ଆଗରେ ଧାରଣା ଦେଇ ଏହାର ପ୍ରତିବାଦ କରିଥିଲେ।
ଏହି ଵିଷୟରେ ଡାଲମିଆ ଭାରତ ଗ୍ରୁପର ପୂର୍ବାଞ୍ଚଳ ମୁଖ୍ୟ ସୁନୀଲ ଗୁପ୍ତାଙ୍କୁ ପଚାରିବାରୁ ସେ କହିଥିଲେ
ସହରାଞ୍ଚଳର ପ୍ଲାଷ୍ଟିକ ଭଳି ବର୍ଜ୍ୟ ବସ୍ତୁ ତଥା ଔଦ୍ୟୋଗିକ ଅପଶିଷ୍ଟ ପଦାର୍ଥକୁ ବୈକଳ୍ପିକ ଇନ୍ଧନ ଭାବରେ ବ୍ୟବହାର କରିବା ପାଇଁ ଯେଉଁ କିଛି ଉଦ୍ୟୋଗ ମାନଙ୍କୁ ଅନୁମତି ମିଳିଛି, ସିମେଣ୍ଟ ତନ୍ମଧ୍ୟରୁ ଅନ୍ୟତମ । ଏଥି ପାଇଁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ନିର୍ଦ୍ଦେଶନାମା ଆମ ପାଖରେ ଉପଲବ୍ଧ ଅଛି । ବୈକଳ୍ପିକ ଇନ୍ଧନ ବ୍ୟବହାର ଦ୍ୱାରା, କୋଇଲା ଭଳି ଜୀବାସ୍ମ ଇନ୍ଧନ ତଥା ପ୍ରାକୃତିକ ସମ୍ବଳର ବ୍ୟବହାର କମ ହେବା ସହିତ ଅଙ୍ଗାରକାମ୍ଳ ନିର୍ଗମନ ମଧ୍ୟ କମ ହୋଇଥାଏ, ଯାହା ପରିବେଶ ଅନୁକୂଳ । ଏହି ଔଦ୍ୟୋଗିକ ଅପଶିଷ୍ଟ ରାଜ୍ୟ ବାହାରୁ ଆସୁଥିବା ବେଳେ ସହରାଞ୍ଚଳ ବର୍ଜ୍ୟ ବସ୍ତୁ ରାଜ୍ୟର ବିଭିନ୍ନ ମୁନିସିପାଲିଟିରୁ ଆସିଥାଏ ।
ବର୍ତ୍ତମାନ ବର୍ଷା ତଥା ଆର୍ଦ୍ର ପରିବେଶ ଯୋଗୁଁ ସମୟ ସମୟରେ ଏହି ବର୍ଜ୍ୟ ବସ୍ତୁ କିଛି ମାତ୍ରାରେ ଦୁର୍ଗନ୍ଧ ସୃଷ୍ଟି କରିଥାଏ । ତେବେ ଏହା କେବଳ ସାମୟିକ ଏବଂ ଏହାକୁ ଦୂର କରିବା ପାଇଁ ଆମ ତରଫରୁ ଅନେକ ପଦକ୍ଷେପ ଆରମ୍ଭ କରାଯାଇଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏକ ଟିମ ମଧ୍ୟ ଆମର ସମସ୍ତ ପଦକ୍ଷେପର ନିରୀକ୍ଷଣ କରିବା ସହିତ, ଏ ସଂକ୍ରାନ୍ତରେ ଆମର ମାର୍ଗଦର୍ଶନ କରିଛି । ଆମେ ତଦନୁସାରେ କାମ କରୁଛୁ ।