ରାଜଗାଙ୍ଗପୁର/କାଂଶବାହଲ,(କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୮ : ରାଜଗାଙ୍ଗପୁର ନିକଟସ୍ଥ କାଂଶବାହଲ ଫାଣ୍ଡି ଅନ୍ତର୍ଗତ ବିଲେଇଗଡ଼ ଗ୍ରାମ ନିକଟରେ ଜଣେ ମାନସିକ ବିକୃତ ପାଗଳି ମହିଳାଙ୍କୁ ଦୃଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ, ଗତ ଅଗଷ୍ଟ ୭ ତାରିଖ, ଶୁକ୍ରବାର ରାତି ୧୨ଟା ବେଳେ ଜଣେ ପାଗଳୀ ମହିଳା ବିଲେଇଗଡ଼ ଗ୍ରାମର ଜଣଙ୍କ ଘର ବାରଣ୍ଡାରେ ଶୋଇଥିବା ବେଳେ ବିହାର ରାଜ୍ୟ ଗୋପାଳଗଞ୍ଜ ଜିଲ୍ଲା କଟିହାରି ଥାନା ନିକଟସ୍ଥ ଗୋପଳପୁର ଗ୍ରାମର ସୌରଭ ଗୁପ୍ତା (୪୫) ନାମକ ଜଣେ ଟ୍ରକ ଡ୍ରାଇଭର ବିଲେଇଗଡ଼ରେ ଥିବା ଶ୍ରୀରାମ ସ୍ପଞ୍ଜ କାରଖାନାକୁ ଲୁହାଛଡ଼ ଲୋଡ଼ କରିବା ପାଇଁ ଟ୍ରକ ନେଇ ଆସିଥିଲା ।
ଗାଡି ଲୋଡ଼ କରିବାରେ ବିଳମ୍ବ ହେବା ଦେଖି ଡ୍ରାଇଭର ସୌରଭ ମଦ ପିଇବା ପାଇଁ ନିକଟରେ ଥିବା ମଦ ବିକ୍ରି ହେବା ସ୍ଥାନକୁ ଯାଇ ମଦ୍ୟପାନ କରି ଫେରିବା ବେଳେ ବାରଣ୍ଡାରେ ଶୋଇଥିବା ମାନସିକ ବିକୃତ ପାଗଳି ମହିଳାଙ୍କୁ ଦୃଷ୍କର୍ମ କରିବା ବେଳେ ସ୍ଥାନୀୟ ଦୁଇଜଣ ଯୁବକ ଦେଖି ପାଟି କରି ଘଟଣା ସ୍ଥଳକୁ ଆସି ପହଞ୍ଚିଥିଲେ । ଏ ମାନଙ୍କୁ ଦେଖି ଦୃଷ୍କର୍ମକାରୀ ଦୌଡ଼ି ପଳେଇ ଯାଇଥିଲା ମାତ୍ର ଉପସ୍ଥିତ ଯୁବକ ମାନେ ଗୋଡାଇ ଗୋଡାଇ ଅଭିଯୁକ୍ତ ଟ୍ରକ ଡ୍ରାଇଭର ସୌରଭକୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ ।ପୋଲିସ ଘଟଣାର ତଦନ୍ତ କରିବାସହ ପୀଡ଼ିତା ମହିଳା ଏବଂ ଅଭିଯୁକ୍ତ ସୌରଭକୁ ଡାକ୍ତରୀ ମାଇନା କରିବା ସହ ଦୃଷ୍କର୍ମକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସବିଶେଷ ଖବର ଅନୁଯାୟୀ, ପୀଡ଼ିତା ମାନସିକ ବିକୃତ ମହିଳାଙ୍କୁ ନିକଟସ୍ଥ କେଶରାମାଲ ମହିଳା ଆଶ୍ରମକୁ ପଠାଯାଇଥିବା ଜଣାପଡିଛି ।