ରାଜଗାଙ୍ଗପୁର: ନ୍ୟାସନାଲ ହ୍ୟୁମାନ ରାଇଟସ କମିଶନ ତରଫରୁ ଗୁରୁଦିବସ ଉପଲକ୍ଷେ ଅଞ୍ଚଳର ୧୭ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ
ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୦୫/୦୯ : ପ୍ରତି ବର୍ଷ ସେପ୍ଟେମ୍ବର ମାସ ୫ ତାରିଖକୁ ସମଗ୍ର ଦେଶରେ ଗୁରୁଦିବସ ରୂପେ ପାଳନ କରାଯାଏ। ଆଜି, ସେପ୍ଟେମ୍ବର ୫ ତାରିଖ, ସ୍ୱାଧୀନ ଭାରତର ପ୍ରଥମ ଉପ-ରାଷ୍ଟ୍ରପତି ତଥା ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଓ ମହାନ ଶିକ୍ଷକ ଭାବେ ପରିଚିତ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ଦିନ। ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଅଧ୍ୟାପନାକୁ ଭଲ ପାଉଥିବାରୁ ତାଙ୍କ ଜନ୍ମଦିନକୁ ଆମେ ଗୁରୁଦିବସ ରୂପେ ପାଳନ କରୁଛୁ।
ଗୁରୁଙ୍କୁ ବ୍ରହ୍ମା,ବିଷ୍ଣୁ ,ମହେଶ୍ୱରଙ୍କ ସାଙ୍ଗରେ ତୁଳନା କରାଯାଏ, ଜୀବନରେ ଗୁରୁମାନଙ୍କ ସ୍ଥାନ ସବୁଠାରୁ ଉଚ୍ଚରେ। ଗୁରୁ ହେଉଛନ୍ତି ଏପରି ଏକ ବ୍ୟକ୍ତି ଯେ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରେଇ ଜ୍ଞାନର ଆଲୋକ ପ୍ରଦାନ କରନ୍ତି। ସମାଜର ଏକ ବିଶେଷ ଭାର ବହନ କରୁଥିବା ବ୍ୟକ୍ତିତ୍ୱ ହେଉଛନ୍ତି ଗୁରୁ। ତାଙ୍କୁ ସମ୍ମାନ ପ୍ରଦାନ କରିବା ହେଉଛି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ପ୍ରଧାନ କର୍ତ୍ତବ୍ୟ। ଆଜିର ଦିନରେ ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ବହୁ ଧୁମଧାମରେ ଛାତ୍ରଛାତ୍ରୀମାନେ ଗୁରୁମାନଙ୍କୁ ପୂଜା କରି ଗୁରୁଦିବସ ପାଳନ କରନ୍ତି। କିନ୍ତୁ କରୋନା ମହାମାରୀ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ, ଏ ବର୍ଷ ଗୁରୁଦିବସ ପାଳନ ଫିକା ପଡିଛି । ରାଜଗାଙ୍ଗପୁର ସହରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି, ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ଗୁରୁଦିବସ ପାଳନ ଫିକା ପଡିଛି। ଗୁରୁ ଓ ଶିଷ୍ୟ ମାନଙ୍କ ମଧ୍ୟରେ ପାଚେରୀ ହୋଇ ଛିଡା ହୋଇଛି କରୋନା ।
ଆଜି ନ୍ୟାସନାଲ ହ୍ୟୁମାନ ରାଇଟସ୍ କମିଶନ ତରଫରୁ ରାଜଗାଙ୍ଗପୁର ସହରର ବିଭିନ୍ନ ବିଦ୍ୟାଳୟର ୧୭ ଜଣ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନେଇ ଗୁରୁଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା। ଏହି ସଭାରେ ରାଜଗାଙ୍ଗପୁରରେ ନୂତନ ଭାବେ ଯୋଗ ଦେଇଥିବା ଏସ.ଡି.ପି.ଓ. ଶଶାଙ୍କ ଶେଖର ବେହୁରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜୀବନରେ ଗୁରୁମାନଙ୍କର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ନ୍ୟାସନାଲ ହ୍ୟୁମାନ ରାଇଟସ କମିଶନ ପକ୍ଷରୁ ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।