କେନ୍ଦ୍ର ସରକାରଙ୍କୁ ଚେକ୍ ଦେଲେ ଗେହଲଟ : ରାଜ୍ୟ ସକରାରଙ୍କ ବିନା ଅନୁମତିରେ ରାଜସ୍ଥାନରେ ପଶି ପାରିବ ନାହିଁ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୧/୦୭ : ରାଜସ୍ଥାନରେ ଜାରି ରାଜନୈତିକ ସଙ୍କଟ ମଧ୍ୟରେ ଗେହଲଟ ସରକାର କେନ୍ଦ୍ର ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ସିବିଆଇକୁ ନେଇ ବଡ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ପରେ ଏବେ ରାଜସ୍ଥାନରେ ସିବିଆଇ ସିଧାସଳଖ କୌଣସି ମାମଲାରେ ଯାଞ୍ଚ କରି ପାରିବ ନାହିଁ। ସିବିଆଇକୁ ଯାଞ୍ଚ ପାଇଁ ପ୍ରଥମେ ରାଜ୍ୟ ସରକାରଙ୍କ ଅନୁମତି ନେବା ଜରୁରୀ। ଅନୁମତି ମିଳିବା ପରେ ଯାଇ ସିବିଆଇ ରାଜସ୍ଥାନର କୌଣସି ମାମଲାର ତଦନ୍ତ କରି ପାରିବ। ଏହି ସଂପର୍କରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଅଧିସୂଚନା ଜାରି କରିଛି।
ରାଜସ୍ଥାନର ଗେହଲଟ ସରକାର ସିବିଆଇ ଉପରେ ଏହି ନିଷ୍ପତ୍ତି ଏମିତି ସମୟରେ ନେଇଛନ୍ତି, ଯେବେ ରାଜ୍ୟରେ କ୍ଷମତାକୁ ନେଇ ରାଜନୀତି ଟଣାଓଟରା ଜାରି ରହିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କେନ୍ଦ୍ର ସରକାରଙ୍କ ଉପରେ ଆରୋପ ଲଗାଇ ସାରିଛନ୍ତି ଯେ, ରାଜନୈତିକ ନିହିତ ସ୍ଵାର୍ଥ ପାଇଁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିର ଦୁରୁପଯୋଗ କରାଯାଉଛି।
NO ENTRY
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଗେହଲଟ କହିଥିଲେ ଦେଶରେ ଆଜି ଗୁଣ୍ଡାଗର୍ଦି ଚାଲିଛି। ମନମୁଖୀ ଭାବେ ଚଢାଉ କରାଯାଉଛି। ମୋତେ ପ୍ରଥମ ଦିନରୁ ଆଭାସ ମିଳି ସାରିଥିଲା ଯେ, ମୋ ନିକଟତରଙ୍କ ଉପରେ ଚଢାଉ ହେବ। ଉଲ୍ଲେଖଯୋଗ୍ୟ, ରାଜସ୍ଥାନ କଂଗ୍ରେସର ଦୁଇ ବଡ ନେତା ରାଜୀବ ଆରୋରା ଓ ଧର୍ମେନ୍ଦ୍ର ରାଠୋରଙ୍କ ବାସଭବନରେ ଏହି ଚଢାଉ ହୋଇଥିଲା।
ରାଜ୍ୟରେ ସିବିଆଇର ପ୍ରବେଶ ଉପରେ ରୋକ୍ ଲଗାଇବାରେ ରାଜସ୍ଥାନ ଚତୁର୍ଥ ରାଜ୍ୟ ହୋଇଛି। ଏହା ପୂର୍ବରୁ ଛତିଶଗଡ, ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗ ରାଜ୍ୟରେ ସିବିଆଇର ସିଧାସଳଖ ଯାଞ୍ଚ ଉପରେ ରୋକ୍ ଲଗାଇଥିଲେ। ଏହି ସବୁ ରାଜ୍ୟରେ ସିବିଆଇକୁ ଯାଞ୍ଚ କରିବାକୁ ହେଲେ ରାଜ୍ୟ ସରକାରଙ୍କ ଅନୁମତି ନେବା ଦରକାର।