ରାତିତମାମ୍ ସଂସଦ ପରିସରରେ ଧାରଣାରେ ବସି ରହିଲେ ନିଲମ୍ୱିତ ସାଂସଦ : ମନାଇବା ପାଇଁ ସକାଳୁ ଚା’ ନେଇ ପହଞ୍ଚିଲେ ରାଜ୍ୟସଭା ଉପାଧ୍ୟକ୍ଷ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୨-୦୯-୨୦ : ରାଜ୍ୟସଭାରେ କୃଷି ବିଲକୁ ନେଇ ହଙ୍ଗାମା କରିଥିବାରୁ ନିଲମ୍ୱିତ ହୋଇଥିବା ୮ ସାଂସଦ ସଂସଦର ଗାନ୍ଧି ମୂର୍ତ୍ତି ନିକଟରେ ସାରା ରାତି ଧାରଣା ଦେଇଛନ୍ତି । ଆଜି ଏହି ଧାରଣା ସ୍ଥଳରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଧାରଣା ସ୍ଥଳରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ପହଞ୍ଚିଥିବା ଦେଖାଯାଇଥିଲା । ହାତରେ ଥିଲା ଗରମ୍ ଗରମ୍ ଚା’ । ଥର୍ମୋଫ୍ଲାକ୍ସରେ ଗରମ ଗରମ୍ ଚା ଆଣି ଧାରଣାରେ ବସିଥିବା ୮ ସାଂସଦଙ୍କୁ ଦେବା ସହିତ ସେମାନଙ୍କୁ ମନାଇବାକୁ ଉଦ୍ୟମ କରିଛନ୍ତି ହରିବଂଶ ।
![](https://i0.wp.com/kalingajyoti.com/wp-content/uploads/2020/09/Rajya_Sabha_Deputy_Chairman_Harivansh.jpg?resize=583%2C437&ssl=1)
ଗତକାଲି ସାରା ରାତି ଗାନ୍ଧି ମୂର୍ତ୍ତି ତଳେ ବସି ପ୍ରଦର୍ଶନ କରିଛନ୍ତି ଏହି ନିଲମ୍ୱିତ ସାଂସଦମାନେ । ସରକାର ଗଣତନ୍ତ୍ରର ସ୍ୱର ଚାପିବାକୁ ଉଦ୍ୟମ କରିଛନ୍ତି , କୃଷକଙ୍କ ସମସ୍ୟା ପ୍ରତି କେନ୍ଦ୍ର ସରକାର ଆଖି ବୁଜିଦେଇଥିବା ଅଭିଯୋଗ କରିଛନ୍ତି ବିରୋଧୀ ସାଂସଦ । ସଂସଦରେ ଗଣତନ୍ତ୍ରର ହତ୍ୟା କରାଯାଇଥିବା ପୋଷ୍ଟର ସହିତ ସଂସଦ ବାହାରେ ଧାରଣା ଜାରି ରଖିଛନ୍ତି ନିଲମ୍ୱିତ ସାଂସଦ ।
ରାଜ୍ୟସଭା ଉପାଧ୍ୟକ୍ଷଙ୍କ ଅନୁରୋଧକୁ ଏଡାଇ ଯାଇଛନ୍ତି ଧାରଣାରେ ବସିଥିବା ସାଂସଦ । କହିଛନ୍ତି ଏଥିପାଇଁ ବି ସେ ଦାୟୀ । ସେପଟେ କଂଗ୍ରେସ ସମେତ ୧୨ଟି ବିରୋଧୀ ଦଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାକୁ ସମୟ ମାଗିଛନ୍ତି । ସଂସଦରେ ୨ଟି କୃଷି ବିଲ୍ ପାରିତ ହେବା ପରେ ଏଥିରେ ରାଷ୍ଟ୍ରପତି ମୋହର ନମାରିବାକୁ ନିବେଦନ କରିବାକୁ ସମୟ ମାଗିଛନ୍ତି ବିରୋଧୀ ।