
ମାଲକାନଗିରି,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୯ : ମାଓ ଉପଦୃତ ମାଲକାନଗିରି ଜିଲ୍ଲାର ନାଁ ଶୁଣିଲେ ମନରେ ଆସେ ମାଓବାଦୀଙ୍କ ଲାଲ ତାଣ୍ଡବ ର ଚିତ୍ର । କେବେ ନିରୀହ ଲୋକଙ୍କୁ ହତ୍ୟକ୍ଷ ତ ପୁଣି କେତେବେଳେ ଉନ୍ନୟନମୂଳକ କାର୍ଯ୍ୟକୁ ବାଧା ଦେବା ପାଇଁ ତୁମୁଳ କାଣ୍ଡ । ଏସବୁ ମାଲକାନଗିରି ଜିଲ୍ଲା ପାଇଁ ନିତିଦିନିଆ ହୋଇପଡିଥିବା ବେଳେ ବର୍ତ୍ତମାନ କିନ୍ତୁ ସମୟ କ୍ରମେ ମାଓବାଦୀ ଙ୍କ ଏହି ବର୍ବରତା ରେ ଲାଗିଛି ରୋକ । ଜିଲ୍ଲାରେ ଫେରୁଛି ଶାନ୍ତି । ଜିଲ୍ଲାର ବିଭିନ୍ନ ଅଂଚଳ ମାଓ ମୁକ୍ତ ହେଉଥିବା ବେଳେ ପୋଲିସ ଡିଜି ଙ୍କ ତୁହାକୁ ତୁହା ଗ୍ରସ୍ତ ଏବଂ କଡା ରଣନୀତି ଯୋଗୁଁ ମାଓ ମୁକ୍ତ ଜିଲ୍ଲା ଭାବେ ଖୁବ ଶୀଘ୍ର ମାଲକାନଗିରି ମଧ୍ୟ ପରିଗଣିତ ହେବ ବୋଲି ଆଶା ସଂଚାର ହୋଇଛି ।
ମାଲକାନଗିରି ଜିଲ୍ଲା ନା ଶୁଣିଲେହିଁ ଲୋକଙ୍କ ମନରେ ମାଓବାଦୀଙ୍କ ବର୍ବରତାର ଚିତ୍ର ଆଖି ଆଗରେ ନାଚି ଉଠୁଥିଲା । ସମୟ ଥିଲା ଜିଲ୍ଲାରେ ସରକାରୀ ନିୟମ ବଦଳରେ ଚାଲୁଥିଲା ମାଓବାଦୀଙ୍କ ରାଜ୍ । ପୋଲିସ ଙ୍କ ବଦଳରେ ନିଷ୍ପତି ନେଉଥିଲେ ମାଓବାଦୀ । ତେବେ ବର୍ତମାନ କିନ୍ତୁ ମାଲକାନଗିରି ଜିଲ୍ଲା ସମୟ ସହ ତାଳ ଦେଇ ମାଓ ରାଜୁତିରୁ ଧୀରେ ଧୀରେ ମୁକ୍ତ ହେବାରେ ଲାଗିଛି । ପୋଲିସ ପ୍ରଶାସନ ର କଡା ରଣନୀତି ଯୋଗୁଁ ଜିଲ୍ଲାରେ ସକ୍ରିୟ ଭାବେ କାର୍ଯ୍ୟ କରୁଥିବା କାଲିମେଳା ମାଓ ଦଳମ ନିଜର ସତା ହରାଇଛି । ଆଉ ଏହାପରେ କାଲିମେଳା, ପଡିଆ , ମୋଟୁ,ଏ ମ ଭି ୭ ୯ ଥାନା ଆଦି ମାଓ ଗଡ଼ ବର୍ତମାନ ସମ୍ପୂର୍ଣ୍ଣ ମାଓ ମୁକ୍ତ ହୋଇଛି । ମାଓଗଡ଼ ଭାଙ୍ଗିବା ପରେ ଅନେକ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତ ରେ ସାମିଲ ହୋଇଥିବା ବେଳେ ମାଓ ଦଳ ପଥ ଭ୍ରଷ୍ଟ ହେଉଥିବା ଆତ୍ମସମର୍ପଣ କାରୀ ମାଓବାଦୀ ମତ ରଖିଛନ୍ତି ।
ଏହାସହ ସରକାରୀ ନିୟମ ଅନୁଯାୟୀ ଆତ୍ମସମର୍ପଣ କାରୀ ମାଓବାଦୀ ଙ୍କୁ ସମସ୍ତ ସୁବିଧା ଯୋଗାଇବା ସହ ସ୍ୱାବଲମ୍ବୀ ହେବା ଦିଗରେ ମଧ୍ୟ ମାଲକାନଗିରି ପୋଲିସ ଦୃଷ୍ଟି ଦେଇଥିବା ରୁ ଅନେକ ରୋଜଗାର କ୍ଷମ ହୋଇପାରି ଥିବା ମାଲକାନଗିରି ଏସପି ଡି ଋଷିକେଶ ଖିଲାରୀ ପ୍ରକାଶ କରିଛନ୍ତି । ମାଲକାନଗିରି ଜିଲ୍ଲାରେ ମାଓବାଦ ଭଳି ସମସ୍ୟା ସହ ଗଞ୍ଜେଇ ଚୋରା ଚାଲାଣ ମଧ୍ୟ ଜିଲା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇପଡିଛି ।
ଜିଲ୍ଲାକୁ ମାଓ ମୁକ୍ତ କରିବା ସହ ଗଞ୍ଜେଇ କାରବାର କୁ ରୋକ ଲଗାଇବା ପାଇଁ ପୋଲିସ ଡିଜି ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ବାରମ୍ବାର ମାଲକାନଗିରି ଜିଲ୍ଲା ଗ୍ରସ୍ତ କରଏଦିଗରେ ସମୀକ୍ଷା କରିବା ସହ କଡା ରଣନୀତି ଆପଣେଇଛନ୍ତି । ଜିଲ୍ଲାର ତିନୋଟି ସ୍ଥାନ ମୁଖ୍ୟତଃ ମାଓ ପ୍ରବଣ ଥିବା ବେଳେ ବର୍ତମାନ ସେଥି ମଧ୍ୟରୁ କାଲିମେଳା, ଏବଂ ମହୁପଦର ଅଂଚଳ ମାଓ ମୁକ୍ତ ହେଉଥିବା ବେଳେ କେବଳ ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳରେ କିଚ୍ଛି ମାତ୍ରାରେ ମାଓବାଦୀ ସକ୍ରିୟ ଥିବା ଜଣା ପଡିଛି ।

ତେବେ ଜିଲ୍ଲା ପୋଲିସ ଏବଂ ସରକାରୀ ସ୍ତରରେ ତତ୍ପରତା ଯୋଗୁଁ ସ୍ୱାଭିମାନ ଅଂଚଳର ଚିତ୍ର ବଦଳୁଥିବା ସହ ଉନ୍ନୟନ ମୂଳକ କାର୍ଯ୍ୟ ଯୋଗୁ ସ୍ଥିତି ସ୍ୱାଭାବିକ ହେବାରେ ଲାଗୁଥିବାରୁ ଲୋକେ ମଧ୍ୟ ମାଓବାଦ କୁ ବିରୋଧ କରୁଥିବା ପୋଲିସ ଡିଜି ଅଭୟ ପ୍ରକାଶ କରିଛନ୍ତି । ଜିଲ୍ଲା ସମୟ କ୍ରମେ ଉନ୍ନତି ସ୍ୱାଦ ଚାଖୁଥିବା ବେଳେ ସ୍ୱାଭିମାନ ଅଂଚଳରେ ଗୁରୁପ୍ରିୟା ସେତୁ ପରେ ମୋଟ ଆଠଟି ପକ୍କା ସଡକ ସହ ପାନୀୟ ଜଳ, ମୋବାଇଲ ଟାୱାର, ସ୍ୱାସ୍ଥ୍ୟ ସେବା ଆଦି ପହଞ୍ଚିପାରି ଥିବାରୁ ଖୁବ ଶୀଘ୍ର ମାଲକାନଗିରି ମାଓ ମୁକ୍ତ ଜିଲ୍ଲା ରୂପେ ପରିଗଣିତ ହେବ ବୋଲି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ପ୍ରକାଶ କରିଛନ୍ତି ।