![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ପୁରୀ ୧୧/୦୮/୨୦୨୧ କଳିଙ୍ଗ ଜ୍ଯୋତି : ପୁରୀ ଶ୍ରୀମନ୍ଦିର ପାଇଁ ନୂଆ ଏସଓପି ଜାରି। ଶ୍ରୀମନ୍ଦିର ଖୋଲିବା ନେଇ ନୂଆ ଏସଓପି ଜାରି କଲା ଶ୍ରୀମନ୍ଦିର ପ୍ରଶାସନ। ନୂଆ ଏସଓପି ଅନୁସାରେ ଆସନ୍ତାକାଲି ଠାରୁ ଦୁଇ ଦିନ ଅର୍ଥାତ୍ ୧୨ ଓ ୧୩ ତାରିଖ ସେବାୟତଙ୍କ ପରିବାର ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ସେମାନେ ଶ୍ରୀମନ୍ଦିରର ଯେକୌଣସି ଦ୍ଵାର ଦେଇ ପରିଚୟପତ୍ର କିମ୍ବା ବୀମା କାର୍ଡ ଦେଖାଇ ପ୍ରବେଶ କରିପାରିବେ। ଏହାପରେ ଆସନ୍ତା ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କୁ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିଛି। ପୁରୀବାସୀମାନେ ସେମାନଙ୍କର ଆଧାରକାର୍ଡ କିମ୍ବା ଭୋଟ ପରିଚୟ ପତ୍ର ଦେଖାଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ। ଏହାପରେ ଆସନ୍ତା ୨୩ ତାରିଖରୁ ସାଧାରଣ ଦର୍ଶନ ପାଇଁ ଅନୁମତି ମିଳିଛି।
ନୂଆ ଏସଓପି ଅନୁଯାୟୀ, ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ କରିବାକୁ ଅନୁମତି ନାହିଁ। ବାହାରେ ନେଇ ମହାପ୍ରସାଦ ସେବନ କରିପାରିବେ। ଶ୍ରଦ୍ଧାଳୁମାନେ ସିଂହ ଦ୍ଵାରରେ ପ୍ରବେଶ କରିବେ ଏବଂ ଉତ୍ତର ଦ୍ଵାର ଦେଇ ପ୍ରସ୍ଥାନ କରିବେ। ପ୍ରତି ଶନିବାର ଓ ରବିବାର ସାଧାରଣ ଦର୍ଶନ ବନ୍ଦ ରହିବ। ଜନ୍ମାଷ୍ଟମୀ, ଗଣେଶ ପୂଜା ଭଳି ବଡ଼ବଡ଼ ପର୍ବପର୍ବାଣୀରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ପାର୍ଶ୍ଵ ଦେବାଦେବୀଙ୍କୁ ଛୁଇଁବାକୁ ଅନୁମତି ନାହିଁ।
ଏତଦ୍ ବ୍ୟତୀତ ଶ୍ରୀମନ୍ଦିର ଭିତରକୁ ପଲିଥିନ୍ ବ୍ୟାନ୍ କରାଯାଇଛି। ପାନ ଖାଇ ମନ୍ଦିର ଭିତରକୁ କେହି ପ୍ରବେଶ କରିପାରିବେ ନାହିଁ। ଯଦି ପାନ ଖାଇ ମନ୍ଦିର ଭିତରକୁ ପ୍ରବେଶ କରିବେ ତେବେ ଏଥିପାଇଁ ଫାଇନ୍ ଆଦାୟ କରାଯିବ। କରୋନା କଟକଣା ମାନି ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ ଲାଭ କରିବାକୁ ସୁଯୋଗ ପାଇବେ।