ପୁଡୁଚେରୀ: ସଂକଟରେ ପୁଡୁଚେରୀ ସରକାର। ପୁଣି ଶାସକ କଂଗ୍ରେସ ଦଳରୁ ଜଣେ ବିଧାୟକ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀ ନାରାୟଣସାମୀଙ୍କୁ ଚିନ୍ତାରେ ପକାଇଛନ୍ତି। ବିଧାନସଭାରେ ପୁଡୁଚେରୀ ସରକାରଙ୍କ ଫ୍ଲୋର ଟେଷ୍ଟର ଗୋଟିଏ ଦିନ ପୂର୍ବରୁ କଂଗ୍ରେସର ଆଉ ଜଣେ ବିଧାୟକ ଇସ୍ତଫା ଦେଇଥିବାର ସୂଚନା ମିଳିଛି। ଏହା ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀଙ୍କ ପାଇଁ ଆଉ ଏକ ଧକ୍କା ବୋଲି କୁହାଯାଉଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ରାଜଭବନ ନିର୍ବାଚନମଣ୍ଡଳୀରୁ ନିର୍ବାଚିତ କଂଗ୍ରେସ ବିଧାୟକ କେ ଲକ୍ଷ୍ମୀନାରାୟଣ ବିଧାନସଭା ବାଚସ୍ପତି ଭି ପି ସିଭାକୋଲୁନ୍ଧୁଙ୍କୁ ତାଙ୍କ ବାସଭବନରେ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଲକ୍ଷ୍ମୀନାରାୟଣ କହିଛନ୍ତି ଯେ ସେ କଂଗ୍ରେସ ଦଳର ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଛନ୍ତି।
ପୂର୍ବରୁ ଫେବ୍ରୁଆରି ୧୫ ତାରିଖରେ ବିଧାୟକ ମଲାଦି କ୍ରିଷ୍ଣା ରାଓ ଦଳରୁ ଇସ୍ତଫା ଦେଇଥିଲେ। ପୁଣି ଦିନକ ପରେ ୪ ଜଣ ବିଧାୟକ ଏକାଥରକେ ଇସ୍ତଫା ନିଷ୍ପତ୍ତି ଦେଇଥିଲେ। ଅନ୍ୟପକ୍ଷରେ ରାଜ୍ୟର ସାମାଜିକ କଲ୍ୟାଣ ମନ୍ତ୍ରୀ କାନ୍ଦାସାମୀ ଏକ ଭିଡିଓ ଜାରି କରି କହିଥିଲେ କି ଗତ ୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଏଲ୍-ଜି କିରଣ ବେଦୀ ପୁଡୁଚେରୀରେ ଶାସନ କ୍ଷମତାରେ ଥିବା କଂଗ୍ରେସ-ଡିଏମ୍କେ ସରକାର ପାଇଁ ଅନେକ ଅସୁବିଧା ସୃଷ୍ଟି କରିଛନ୍ତି।