ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୪/୦୭ : ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ସାରା ବିଶ୍ୱ ଅଣ୍ଟା ଭିଡିଛି। ଔଷଧ ଓ ଭାକ୍ସିନ ତିଆରି ପାଇଁ ସମସ୍ତେ ଲାଗିଛନ୍ତି। ତେବେ ସମସ୍ତଙ୍କୁ ପଛରେ ପକାଇ ଋଷ ପ୍ରଥମ ଟିକା ବାହାର କରିଛି ବୋଲି ଦାବି କରିଛି। ଏହି ଟିକା ଅଗଷ୍ଟ ସୁଦ୍ଧା ଉପଲବ୍ଧ ହେବ। ରୋଗୀମାନ ଏହାକୁ ବ୍ୟବହାର କରିପାରିବେ ବୋଲି ଏହି ଟିକା ବାହାର କରିଥିବା ଋଷ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଅଳ୍ପ ଲୋକଙ୍କ ଉପରେ ଏହି ଟିକାର ପରୀକ୍ଷଣ କରାଯାଇଥିଲା ଏବଂ ଏହା ରୋଗୀଙ୍କ ପାଇଁ ସୁରକ୍ଷିତ ବୋଲି ପରୀକ୍ଷଣ ପରେ ଜଣାପଡ଼ିଛି। ମସ୍କୋର ସେଚେନୋଭ୍ ବିଶ୍ୱବିଦ୍ୟାଳୟ (Sechenov First Moscow State Medical University) ୩୮ ଜଣ ସ୍ୱେଚ୍ଛାସେବୀଙ୍କ ଉପରେ ଏହାର କ୍ଲିନିକାଲ ଟ୍ରାଏଲ କରିଥିଲା। ଏଥି ସହିତ, ରୁଷ ସେନା ମଧ୍ୟ ସମାନ୍ତରାଳ ଭାବେ ଏହାର ପରୀକ୍ଷଣ ସରକାରୀ ଗମାଲାଇ ଜାତୀୟ ଗବେଷଣା କେନ୍ଦ୍ରରେ ଦୁଇ ମାସ ଶେଷ କରିଥିଲେ।
ଏହି କେନ୍ଦ୍ରର ମୁଖ୍ୟ ଅଲେଜାଣ୍ଡର ଜିଣ୍ଟସ୍ବର୍ଗ ସରକାରୀ ନିଉଜ୍ ଏଜେନ୍ସ ଟାସ୍ (TASS)କୁ ସୂଚନା ଦେଇ କହିଛନ୍ତି, ଅଗଷ୍ଟ ୧୨ରୁ ୧୪ ତାରିଖ ମଧ୍ୟରେ ଉପଲବ୍ଧ ହେବ। ଘରୋଇ କମ୍ପାନୀମାନେ ସେପ୍ଟେମ୍ବର ସୁଦ୍ଧା ବିପୁଳ ପରିମାଣର ଭାକ୍ସିନ ପ୍ରଡକ୍ସନ ଆରମ୍ଭ କରିଦେବେ।