ସୋନୁ ସୁଦ୍ଙ୍କ ସମ୍ମାନରେ ମନ୍ଦିର ନିର୍ମାଣ କଲେ ତେଲେଙ୍ଗାନାବାସୀ, ମୁଁ ଏହାର ଯୋଗ୍ୟ ନୁହେଁ ବୋଲି କହିଲେ ଅଭିନେତା ସୋନୁ ସୁଦ୍
ମୁମ୍ବାଇ: ଲକ୍ଡାଉନ୍ ସମୟରେ ପ୍ରବାସୀଙ୍କ ପାଇଁ ଦେବଦୂତ ସାଜିଥିବା ବଲିଉଡ୍ ଅଭିନେତା ସୋନୁ ସୁଦ୍ଙ୍କ ସମ୍ମାନରେ ଏକ ମନ୍ଦିର ନିର୍ମାଣ କରିଛନ୍ତି ତେଲେଙ୍ଗାନାବାସୀ। ସୋନୁଙ୍କ ଉଦ୍ଦେଶ୍ୟରେ ସିଦ୍ଧଦୀପସ୍ଥିତ ଏକ ଗ୍ରାମବାସୀ ଏହି ମନ୍ଦିର ନିର୍ମାଣ କରିଥିବା ସୂଚନା ରହିଛି। ନିକଟରେ ସୋସିଆଲ୍ ମିଡିଆରେ ସୋନୁଙ୍କର କିଛି ଫଟୋ ଭାଇରାଲ୍ ହୋଇଛି। ଯେଉଁଥିରେ ଲୋକମାନେ ସୋନୁଙ୍କର ମୂର୍ତ୍ତି ସ୍ଥାପନ କରି ତାଙ୍କୁ ପୂଜା କରୁଥିବାର ଦେଖିବାକୁ ମିଳିଛି।
ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ମହାମାରୀ ସମୟରେ ଏତେ ଲୋକଙ୍କୁ ସାହାଯ୍ୟ କରିଥିବା ବ୍ୟକ୍ତି କୌଣସି ଦେବତାଠୁ କମ୍ ନୁହଁନ୍ତି। ଆମ ପାଇଁ ଏହା ଆନନ୍ଦର ବିଷୟ ଯେ ଆମେ ତାଙ୍କ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରିପାରିଛୁ।
ଏହି ମନ୍ଦିରକୁ ନେଇ ସୋନୁ ନିଜର ବୟାନ ରଖି କହିଛନ୍ତି କି ସେ ଏହାର ଯୋଗ୍ୟ ନୁହଁନ୍ତି। ସେ ଆହୁରି ବି କହିଛନ୍ତି କି ‘ଲୋକମାନଙ୍କ ସମ୍ମାନ ପାଇବା ନିହାତି ଭାବେ ଏକ ଅପୂର୍ବ ଅନୁଭବ। ମାତ୍ର ମୁଁ ଏହାର ଯୋଗ୍ୟ ନୁହେଁ। ମୁଁ ଜଣେ ସାଧାରଣ ମଣିଷ। ମୋ ଭାଇ ଓ ଭଉଣୀମାନଙ୍କୁ ଟିକିଏ ସାହାଯ୍ୟ କରିପାରିଛି ଖାଲି।’