ନୂଆଦିଲ୍ଲୀ: ସମୟ ବଢିବା ସହ ଭୟଙ୍କର ହେବାରେ ଲାଗିଛି ସାମୁଦ୍ରିକ ବାତ୍ୟା ତୌତେ । ଭାରତ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଅତି ଭୟଙ୍କର ସାମୁଦ୍ରିକ ବାତ୍ୟା ତୌତେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତୀବ୍ର ହୋଇ ଗୁଜୁରାଟ ଉପକୂଳରେ ପହଞ୍ଚିବ। ମଙ୍ଗଳବାର ପୂର୍ବାହ୍ନ ସୁଦ୍ଧା ଏହା ଭବନଗର ଜିଲ୍ଲାର ପୋରବନ୍ଦର ଏବଂ ମହୁଭା ମଧ୍ୟରେ ରାଜ୍ୟ ଉପକୂଳ ଅତିକ୍ରମ କରିବ ବୋଲି ଆଇଏମଡି ରବିବାର ନିଜର ଶେଷ ବୁଲେଟିନରେ କହିଛି।
ଗୁଜୁରାଟରେ ଏନେଇ ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ)ର ୭୯ଟି ଟିମକୁ ନିୟୋଜିତ କରିଛି । ଏହା ସହ ୨୨ଟି ଅତିରିକ୍ତ ଦଳକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ସେନା, ନୌସେନା ଏବଂ ତଟରକ୍ଷୀ ବାହିନୀର ଉଦ୍ଧାରକାରୀ ଏବଂ ରିଲିଫ୍ ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି ।
ଏହି ଘୂର୍ଣ୍ଣିବଳୟ ତୀବ୍ର ହେବା ସହିତ ପୋରବନ୍ଦର, ଜୁନାଗଡ, ଗିର ସୋମନାଥ ଏବଂ ଆମରେଲି ଜିଲ୍ଲାରେ ପବନର ବେଗ ମଙ୍ଗଳବାର ସକାଳ ସୁଦ୍ଧା ୧୫୦-୧୬୦ କିଲୋମିଟର ରହିବା ସହ ଧିରେ ଧିରେ ଏହାର ବେଗ ୧୭୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବ। ସମାନ ସମୟ ମଧ୍ୟରେ ଏହା ଦେବଭୂମି ଦ୍ୱାରକା, ଜାମନଗର, ଭବନଗର ଜିଲ୍ଲାରେ ପବନର ବେଗ ୧୨୦-୧୫୦ କିଲୋମିଟର ରହିବା ସହ ଧିରେ ଧିରେ ଏହାର ବେଗ ୧୬୫ କିଲୋମିଟର ବେଗରେ ପହଞ୍ଚିବ ବୋଲି ଆଇଏମଡି କହିଛି। ସୋମବାର ସକାଳରୁ ଦକ୍ଷିଣ ଗୁଜୁରାଟ ଉପକୂଳରେ ସମୁଦ୍ର ଅଶାନ୍ତ ରହିବ ବୋଲି କହିଛି ଆଇଏମଡି ।