ପୁରୀ ୧୪/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଦୀର୍ଘ ଦିନ ପରେ ପୁରୀ ସ୍ଵର୍ଗଦ୍ଵାରରୁ ହଟିଲା କଟକଣା। ସ୍ଵର୍ଗଦ୍ଵାରରେ ଶବ ସତ୍କାର ପାଇଁ ମିଳିଲା ଅନୁମତି। ଏଣିକି ସ୍ଵର୍ଗଦ୍ଵାରରେ ପୁରୀ ଜିଲ୍ଲା ତଥା ଜିଲ୍ଲା ବାହାରର ଲୋକେ ଆସି ଶବ ସତ୍କାର କରିପାରିବେ। ଅଗଷ୍ଟ ୧୬ ତାରିଖରୁ ସ୍ଵର୍ଗଦ୍ଵାରରେ ଶବ ସତ୍କାରକୁ ଅନୁମତି ଦେଲା ଜିଲ୍ଲା ପ୍ରଶାସନ। ତେବେ ଶବ ସତ୍କାର ବେଳେ ଶବ ସହ ୧୦ ଜଣଙ୍କୁ ଉପସ୍ଥିତ ରହିବାକୁ ଅନୁମତି ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣ ପାଇଁ ସ୍ଵର୍ଗଦ୍ଵାରରେ ଶବଦାହ ଉପରେ କଟକଣା ଲାଗିଥିଲା। ଏପ୍ରିଲ ୨୬ ତାରିଖରୁ ଏହି କଟକଣା ଲାଗୁ କରାଯାଇଥିଲା। ଜିଲ୍ଲା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ମହୋଦଧିରେ ଅସ୍ଥି ବିସର୍ଜନ ଓ ଶ୍ରାଦ୍ଧ ଆଦି କାର୍ଯ୍ୟରେ ମଧ୍ୟ ରୋକ ଲଗାଇଥିଲା ପୁରୀ ଜିଲ୍ଲା ପ୍ରଶାସନ।