କଟକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୭ : ଚିକିତ୍ସାଧୀନ ଅବସ୍ଥାରେଶିଶୁର ମୃତ୍ୟୁ ପରେ ତା’ର ବାପା-ମାଆ ମୃତଦେହକୁ ସାଙ୍ଗରେ ନନେଇ, ଶେଷକୃତ୍ୟ ନକରି ମେଡିକାଲରେ ଛାଡ଼ି ପଳାଇଛନ୍ତି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଏସ୍ସିବି ଆଇସୋଲେସନ୍ ୱାର୍ଡରେ । କରୋନା ସଂକ୍ରମଣ ଓ ତଦ୍ଜନିତ ପରୀକ୍ଷା ନିରୀକ୍ଷାର ଲମ୍ବା ପ୍ରକ୍ରିୟାକୁ ଡରି ଶିଶୁଟିର ପିତା-ମାତା ବାଧ୍ୟବାଧକତାରେ ଏମିତି କରିଥିବା କଥା କୁହାଯାଉଛି । କରୋନାର ଏହା ଏକ କରୁଣ କଷଣ ବୋଲି ମଧ୍ୟ କୁହାଯାଉଛି । ଅନ୍ୟପଟେ, କରୋନା କାଳରେ ସଂପର୍କର ପରିଭାଷା ଓ ବାତ୍ସଲ୍ୟ ମମତା କେମିତି ବଦଳି ଯାଇଛି, ଏହା ତା’ର ନମୁନା ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
ସୂଚନା ଅନୁସାରେ, ବର୍ଷକର ଶିଶୁପୁତ୍ରକୁ ବାପା-ମା’ ଗୁରୁତର ଅବସ୍ଥାରେ ବଲାଙ୍ଗୀରରୁ ଏସ୍ସିବି ମେଡିକାଲକୁ ଆଣି ଆସିଥିଲେ । ମେଡିକାଲ୍ର ଆଇସୋଲେସ୍ନ ୱାର୍ଡ ଆଇସିୟୁରେ ରଖି ତା’ର ଚିକିତ୍ସା କରାଯାଉଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ଘଟିଥିଲା । ଶିଶୁର ମୃତ୍ୟୁ ପରେ ବାପା-ମା’ ଆଜି ମେଡିକାଲ ଛାଡ଼ି ପଳାଇଛନ୍ତି । ଶିଶୁର ସ୍ୱାବ୍ ପରୀକ୍ଷା ନିମନ୍ତେ ପଠାଯାଇଛି । ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି ।