ହଜିଗଲା ମାନବିକତା : ୩୦ଟଙ୍କା ଲାଞ୍ଚ ଦେଇ ନ ପାରିବାରୁ ମା’ ସହ ମିଶି ଅଜାଙ୍କୁ ଷ୍ଟ୍ରେଚରରେ ଠେଲିଠେଲି ନେଲା ୬ବର୍ଷର ଶିଶୁ – ହୃଦୟବିଦାରକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ !
ଲକ୍ଷ୍ନୌ, (କଳିଙ୍ଗଜ୍ୟୋତି ବ୍ୟୁରୋ), ୨୦/୦୭ : ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାରେ ଥିବା ଏକ ଡାକ୍ତରଖାନାର ଅବହେଳାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭାଇରାଲ ଭିଡିଓରେ ଜଣେ ନିରୀହ ଶିଶୁ ତାର ମା’ ସହିତ ମିଶି ଆଜାଙ୍କୁ ଷ୍ଟ୍ରେଚରରେ ଠେଲି ଠେଲି ନେଉଥିବାର ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଦୃଶ୍ୟକୁ ଯିଏ ଦେଖୁଛନ୍ତି ତାଙ୍କ ଆଖି ଲୁହରେ ଭରି ଯାଉଛି। ମୁଖରୁ ବାହାରି ପଡ଼ୁଛି ଆହା ଶିଶୁର ଛୋଟଛୋଟ କୋମଳ ହାତରେ ଷ୍ଟ୍ରେଚର ଠେଲିବାକୁ କିଏ ବାଧ୍ୟ କରିଛି ?
ଶିଶୁ ସହିତ ଷ୍ଟ୍ରେଚର ଟାଣୁଥିବା ମା’ ବିନ୍ଦୁ ଯାଦବ ଏହି ଘଟଣାକୁ ନେଇ କହିଛନ୍ତି, ଦେଓରିଆ ଜିଲ୍ଲାର ବରହଜର ଗୌରା ଗ୍ରାମରେ ଛେଦି ଯାଦବ ବସବାସ କରନ୍ତି। ସେ ଜୁଲାଇ ୩ ତାରିଖରେ ଗାଈ ଚରାଇବାକୁ ଯାଇଥିଲେ ଛେଦି । ଏହି ସମୟରେ କିଛି ଲୋକ ବାପାଙ୍କୁ ମାଡ ମାରିବା ସହିତ ତାଙ୍କ ହାତ ଓ ଗୋଡ ଭାଙ୍ଗି ଦେଇଥିଲେ। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ସର୍ଜିକାଲ ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା। ଏହାପରେ ପ୍ରତିଦିନ ୱାର୍ଡରୁ ଡ୍ରେସିଂ କରିବା ପାଇଁ ଛେଦିଙ୍କୁ ଡ୍ରେସିଂ ରୁମ ପର୍ଯ୍ୟନ୍ତ ନେବାକୁ ପଡେ। ଏଥିପାଇଁ ଷ୍ଟ୍ରେଚରର ଆବଶ୍ୟକତା ପଡ଼ିଥାଏ। ହେଲେ ଷ୍ଟ୍ରେଚର ଟାଣିବାକୁ ହସ୍ପିଟାଲ କର୍ମଚାରୀ ପ୍ରତି ଥର ୩୦ଟଙ୍କା ଲାଞ୍ଚ ମାଗି ଥାଆନ୍ତି। ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ପ୍ରତିଥର ଷ୍ଟ୍ରେଚର ଟାଣିବା ପାଇଁ ୩୦ଟଙ୍କା ଦେବା ସମ୍ଭବ ହୋଇ ନଥାଏ। ୩୦ ଟଙ୍କା ଦେଇ ପାରିବେ ନାହିଁ ବୋଲି ଛେଦିଙ୍କ ଝିଅ ବିନ୍ଦୁ ମନା କରି ଦେବାରୁ ହସ୍ପିଟାଲ କର୍ମଚାରୀ ବାପାଙ୍କୁ ଡ୍ରେସିଂ ପାଇଁ ନେଇ ପାରିବେ ନାହିଁ ବୋଲି ରୋକଠୋକ ମନା କରି ଦେବା ସହିତ ନିଜେ ନେଇ ଯାଅ ବୋଲି କହିଥିଲେ। ତେଣୁ ବାଧ୍ୟ ହୋଇ ବାପାଙ୍କୁ ଷ୍ଟ୍ରେଚରରେ ଶୁଆଇ ଟାଣି ଟାଣି ଡ୍ରେସିଂ ରୁମ୍ ପର୍ଯ୍ୟନ୍ତ ନେଉଥିବା ବେଳେ ବିନ୍ଦୁଙ୍କ ୬ବର୍ଷର ପୁଅ ଶିବମ୍ ବି ତାର ଅଜା ଶୋଇଥିବା ଷ୍ଟ୍ରେଚରକୁ ପଛ ପଟରୁ ଠେଲି ଠେଲି ନେଉଥିଲା।
ମା’-ପୁଅ ବୃଦ୍ଧ ବାପାଙ୍କୁ ଡ୍ରେସିଂ ପାଇଁ ନେବାବେଳେ ହସ୍ପିଟାଲ୍ରୁ କେହି ଜଣେ ଏହି ଦୃଶ୍ୟକୁ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାହା ଭାଇରାଲ ହୋଇଯାଇଥିଲା। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ପରେ ଯେତେବେଳେ ଯାଞ୍ଚ କରାଯାଇଥିଲା ତାହା ସତ ବୋଲି ପ୍ରମାଣିତ ହୋଇଥିଲା।