ହିଂସା ଓ ଘୃଣାର ମଞ୍ଜି ବୁଣୁଥିବା ଅଭିଯୋଗ କରି ହିନ୍ଦୁ ସେନା ପକ୍ଷରୁ ସାଂସଦ ଅସାଦୁଦ୍ଦିନ ଓୱେସୀ ଓ ଅଲ ଇଣ୍ଡିଆ ପର୍ସନାଲ ଲ’ ବୋର୍ଡ(ଆଇଏମପିଏଲବି) ନାଁରେ ଏତଲା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୬/୦୮: ନୂଆଦିଲ୍ଲୀ: ହିଂସା ଓ ଘୃଣାର ମଞ୍ଜି ବୁଣୁଥିବା ଅଭିଯୋଗ କରି ହିନ୍ଦୁ ସେନା ପକ୍ଷରୁ ସାଂସଦ ଅସାଦୁଦ୍ଦିନ ଓୱେସୀ ଓ ଅଲ ଇଣ୍ଡିଆ ପର୍ସନାଲ ଲ’ ବୋର୍ଡ(ଆଇଏମପିଏଲବି) ନାଁରେ ଏତଲା ଦିଆଯାଇଛି। ଦିଲ୍ଲୀ ପୁଲିସ୍ ନିକଟରେ ହିନ୍ଦୁ ସେନା ଫାଇଲ କରିଥିବା ଅଭିଯୋଗରେ କହିଛି ଯେ ଅସାଦୁଦ୍ଦିନ ଓ ଆଇଏମପିଏଲବି ପକ୍ଷରୁ ନାବାଳକ ରାମ ଲାଲାଙ୍କ ସମ୍ପର୍କରେ ଘୃଣା ଏବଂ ହିଂସା ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି।
ଏହାବାଦ ଭଗବାନଙ୍କ ସମ୍ପତ୍ତି ଓ ହିନ୍ଦୁ ସଂପ୍ରଦାୟଙ୍କ ବିରୋଧରେ ମଧ୍ୟ ପ୍ରଚାର କରୁଛନ୍ତି। ଉତ୍ତର ପ୍ରଦେଶର ଅଯୋଧ୍ୟା ଜମି ବାବଦ ସମ୍ପର୍କରେ ସୁପ୍ରିମକୋର୍ଟ ୨୦୧୯ରେ ରାମଲାଲାଙ୍କ ସପକ୍ଷରେ ରାୟ ଦେଇଥିଲେ। ଏହା ସତ୍ତ୍ୱେ ବି ସେମାନେ ବିବାଦୀୟ ବୟାନ ନେଇ କୋର୍ଟଙ୍କ ରାୟକୁ ଅବମାନନା କରିଛନ୍ତି। ଆଜି ଓୱେସୀ ଟ୍ୱିଟ କରି କହିଥିଲେ ଯେ ବାବ୍ରୀ ମସଜିଦ ଥିଲା, ରହିଛି ଓ ଆଗକୁ ମଧ୍ୟ ରହିବ। #BabriZindahai।”
ସେହିପରି ଆଇଏମପିଏଲବି ପକ୍ଷରୁ କୁହାଯାଇଥିଲା ଯେ ବାବ୍ରୀ ମସଜିଦ ଥିଲା ଓ ଆଗକୁ ମଧ୍ୟ ମସଜିଦ ହୋଇ ରହିବ। #HagiaSophia ଆମ ପାଇଁ ବଡ଼ ଉଦାହରଣ। କୌଣସି ରାୟ ଏହାର ସ୍ଥିତାବସ୍ଥାକୁ ବଦଳାଇ ପାରିବ ନାହିଁ। କେହି ବି ଭାଙ୍ଗି ପଡ଼ନ୍ତୁ ନାହିଁ। ପରିସ୍ଥିତି ସବୁ ବେଳେ ଏମିତି ନଥିବ।
ଏହି ଦୁଇ ଟ୍ୱିଟକୁ ଆଧାର କରି ହିନ୍ଦୁ ସେନା ପକ୍ଷରୁ ଦିଲ୍ଲୀ ପୁଲିସ୍ ନିକଟରେ ଅଭିଯୋଗ କରାଯାଇଛି।