ବୈଶାଳୀ,୧୮।୧୨:ସୋସିଆଲ ମିଠିଆରେ ସବୁବେଳେ ହିନ୍ଦୁ ଦେବା-ଦେବୀଙ୍କ ବିରୋଧରେ ଅଭଦ୍ର ମନ୍ତବ୍ୟ ଦେଉଥିବା ବିହାରର କିରଣ ଯାଦବ ଗିରଫ ହୋଇଛନ୍ତି। କିରଣ ଯାଦବଙ୍କ ଉପରେ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଉଥିବାର ଅଭିଯୋଗ ରହିଛି। ସୋସିଆଲ ମିଡିଆ ଜରିଆରେ ଗତ କିଛି ଦିନ ଧରି ଖୁବ୍ ଚର୍ଚ୍ଚାର ପରିସରରେ ଅଛନ୍ତି କିରଣ। ନିଜର ସୋସିଆଲ ମିଡିଆ ଆକାଉଣ୍ଟରୁ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ଭଳି ପୋଷ୍ଟ କରୁଥିଲେ। ଏହାକୁ ନେଇ ରୁଜୁ ହୋଇଥିବା ଏଫଆଇଆର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିହାର ପୋଲିସ ଗୁରୁବାର ସନ୍ଧ୍ୟାରେ କିରଣଙ୍କୁ ଗିରଫ କରିଛି।
କିରଣ ଯାଦବଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଭଗବାନ ରାମ, ଦଶରଥ ଓ ମାତା ସୀତାଙ୍କ ବିଷୟରେ ଅନୂଚିତ ଓ ଅଭଦ୍ର ଭାଷା ବ୍ୟବହାର କରିଥିଲେ। ଏହି ଭିଡିଓରେ ସେ ରାଜପୁତଙ୍କ ବିରୋଧରେ ମଧ୍ୟ ଅଭଦ୍ର ମନ୍ତବ୍ୟ ଦେଇଥିବାର ଦେଖିବାକୁ ମିଳିଥିଲା। କିରଣଙ୍କ ଭିଡିଓ କାରଣରୁ ଲୋକଙ୍କର ଧାର୍ମିକ ଭାବନାକୁ ଆଘାତ ହୋଇଥିବା ନେଇ ଅଭିଯୋଗ କରାଯାଇଥିଲା।
କିରଣଙ୍କ ବିରୋଧରେ ରୁଜୁ କରାଯାଇଥିବା ଅଭିଯୋଗରେ କୁହାଯାଇଥିଲା ଯେ, ଉକ୍ତ ମହିଳାଙ୍କ ଧାର୍ମିକ, ସାମ୍ପ୍ରଦାୟିକ ଏବଂ ଜାତିଗତ ଭାବନା/ସୈୗହାର୍ଦ୍ଧକୁ ନଷ୍ଟ କରିବାର ଉଦେଶ୍ୟରେ ଏହି ଭିଡିଓ ତିଆରି କରି ଭାଇରାଲ କରାଯାଇଛି। କିରଣଙ୍କ ବିରୋଧରେ ଏହି ଅଭିଯୋଗ ହାଜିପୁର ନଗର ଥାନାରେ ରୁଜୁ କରାଯାଇଥିଲା। ନିଜକୁ ସୋସିଆଲ ଓ୍ବାର୍କର ବୋଲି କହୁଥିବା କିରଣ ବିହାରର ବୈଶାଳି ଜିଲ୍ଲାର ଚାନ୍ଦପୁରା ଅଞ୍ଚଳରେ ରୁହନ୍ତି। ସେ ସାମାଜିକ, ରାଜନୈତିକ ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ସବୁବେଳେ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି। ଫେସବୁକରେ ତାଙ୍କର ୧୦ ଲକ୍ଷରୁ ଅଧିକ ଫଲୋଅର୍ସ ରହିଛନ୍ତି। ତେବେ ବହୁବାର ନିଜର ପୋଷ୍ଟ କାରଣରୁ ସେ ବିବାଦୀୟ ହୋଇଛନ୍ତି। ତାଙ୍କ ନାମରେ ସୋସିଆଲ ମିଡିଆରେ ଅନେକ ଫ୍ୟାନ୍ ପେଜ୍ ଗ୍ରୁପ୍ ମଧ୍ୟ ତିଆରି ହୋଇଛି।