ଆସାମ ସ୍ବାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ସର୍ମା ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଆସନ୍ତା କାଲି ସେ ଶପଥଗ୍ରହଣ କରିବେ। ଏ ନେଇ ରବିବାର ଗୁଆହାଟିରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି। ତାଙ୍କୁ ବିଜେପି ବିଧାୟକ ଦଳ ନେତା ଭାବେ ମଧ୍ୟ ନିର୍ବାଚିତ କରାଯାଇଛି। ହିମନ୍ତଙ୍କୁ ବିଧାୟକ ଦଳ ନେତା ଚୟନ କରିବା ଲାଗି ପୂର୍ବ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏବଂ ବିଜେପି ବିଧାୟିକା ନନ୍ଦିତା ଗାରଲୋସା ପ୍ରସ୍ତାବ ଦେଇଥିଲେ।
ବୈଠକରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏବଂ ଦଳର ସାଧାରଣ ସମ୍ପାଦକ ଅରୁଣ ସିଂହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବୈଠକରେ ଉପସ୍ଥିତ ଥିଲେ। ବିଜେପିର ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା ବୈଠକରେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ବିଧାୟକ ଦଳ ବୈଠକ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ସୋନୱାଲ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ପ୍ରଦାନ କରିଥିଲେ।