୧୦ରେ ନୂତନ ସଂସଦ ଭବନର ଭୂମିପୂଜନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦି, ନିମନ୍ତ୍ରଣ କଲେ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା
ନୂଆଦିଲ୍ଳୀ,୫।୧୨: ଦେଶ ପାଇଁ ନୂତନ ସଂସଦ ଭବନ ଖୁବ୍ ଶୀଘ୍ର ତିଆରି ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ୧୦ ତାରିଖରେ ନୂତନ ସଂସଦ ଭବନର ଶିଳାନ୍ୟାସ କରିବେ। ଏନେଇ ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନୂତନ ସଂସଦ ଭବନର ଶିଳାନ୍ୟାସ କରିବା ସହ ଭୂମି ପୂଜନ କରିବେ। ଏଥିପାଇଁ ଶନିବାର ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ପହଁଞ୍ଚି ତାଙ୍କୁ ଭୂମିପୂଜନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେବାପାଇଁ ନିମନ୍ତ୍ରଣ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ନୂତନ ସଂସଦ ଭବନ ୨୧ ମାସ ଭିତରେ ତିଆରି ହୋଇଯିବ। ଦେଶ ସ୍ବାଧୀନତାର ୭୫ ବାର୍ଷିକି ଅବସରରେ ସଂସଦର ଅଧିବେଶନ ନୂତନ ଭବନରେ ଆୟୋଜନ କରାଯିବ। ନୂତନ ଭବନରେ ସଂସଦର ସଦସ୍ୟଙ୍କ ପାଇଁ ଅଲଗା ଅଲଗା କାର୍ଯ୍ୟାଳୟ ରହିବ। ଏହା ସହିତ ସାଂସଦଙ୍କ ପାଇଁ ଲାଉଞ୍ଜ, ଲାଇବ୍ରେରୀ, ସମିତି କକ୍ଷ ଓ ଭୋଜନ ପକ୍ଷ ମଧ୍ୟ ରହିବ। ସାଂସଦଙ୍କ ପାଇଁ ଡିଜିଟାଲ ସୁବିଧା ଉପଲବ୍ଧ କରାଯିବ। ଯାହାକି ସଂସଦକୁ ପେପରଲେସ୍ କରିବା ଦିଗରେ ଅଗ୍ରଣୀ ପଦକ୍ଷେପ ପ୍ରମାଣିତ ହେବ।
ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା କହିଛନ୍ତି, ନୂତନ ସଂସଦ ଭବନର ନିର୍ମାଣ ବେଳେ ବାୟୁ ଏବଂ ଧ୍ବନି ପ୍ରଦୂଷଣ ଯେପରି ନହେବ ସେଥିପାଇଁ ପୁରା ଧ୍ୟାନ ରଖାଯିବ। ଏହା ସହିତ ବର୍ତ୍ତମାନ ସଂସଦ ଭବନରେ ପ୍ରକ୍ରିୟା କିମ୍ବା ପ୍ରଶାସନିକ କାର୍ଯ୍ୟ ଯେପରି ବନ୍ଦ ନହେବ ତାକୁ ମଧ୍ୟ ଦୃଷ୍ଟିରେ ରଖାଯାଇଛି। ସେଣ୍ଟ୍ରାଲ ଭିଷ୍ଟା ପୁନଃବିକାଶ ପ୍ରକଳ୍ପ ଅନୁସାରେ ନୂତନ ଭବନର ନିର୍ମାଣ ବର୍ତ୍ତମାନର ସଂସଦ ଭବନ ପାଖରେ କରାଯିବ। ଟାଟା ପ୍ରୋଜେକ୍ଟସ୍ ଲିମିଟେଡ୍ ନୂତନ ସଂସଦ ଭବନର ନିର୍ମାଣ କରିବ । ୮୬୧.୯୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସଂସଦ ଭବନ ।