ଭୁବନେଶ୍ବର ୨୧/୦୬/୨୦୨୨ କଳିଙ୍ଗ ଜ୍ୟୋତି ବ୍ୟୁରୋ : ଚଳିତ ବର୍ଷ ୧୭ ଫସଲ ବୀମାଭୁକ୍ତ କରାଯିବ। ଖରିଫ ଋତୁରେ ୮ଟି ଏବଂ ରବି ଋତୁରେ ୯ଟି ଫସଲକୁ ବୀମାଭୁକ୍ତ କରାଯିବାକୁ ସୋମବାର ମୁଖ୍ୟସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଫସଲବୀମା ସମନ୍ୱୟ କମିଟି ବୈଠକରେ ସ୍ଥିର ହୋଇଛି। ଖରିଫ ଋତୁରେ ଧାନ, ଚିନା ବାଦାମ, ମକା, ହରଡ଼, ମାଣ୍ଡିଆ, ତୁଳା, ଅଦା ଓ ହଳଦୀ ଆଦି ୮ଟି ଫସଲକୁ ବୀମାଭୁକ୍ତ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା। ସେହିପରି ରବି ଋତୁରେ ଧାନ, ଚିନାବାଦାମ, ବିରି, ମୁଗ, ସୋରିଷ, ସୂର୍ଯ୍ୟମୁଖୀ, ଆଖୁ, ଆଳୁ ଏବଂ ପିଆଜ ଆଦି ୯ଟି ଫସଲ ବୀମାଭୁକ୍ତ ହେବ। ଧାନ ଫସଲ ପାଇଁ ଏକ ଗ୍ରାମପଞ୍ଚାୟତ ବା ସହରାଞ୍ଚଳ ଏବଂ ଅଣ-ଧାନ ଫସଲ ପାଇଁ ଏକ ବ୍ଲକକୁ ବୀମା-ୟୁନିଟ୍ ଭାବେ ବିଚାର କରାଯିବ। ଚଳିତ ବର୍ଷ ଜୁଲାଇ ୩୧କୁ ଖରିଫ ପସଲ ବୀମା ପଞ୍ଜୀକରଣର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଚାଷ ପାଇଁ ଋଣ ନେଉଥିବା ଚାଷୀମାଙ୍କ ବୀମା ସମ୍ପୃକ୍ତ ବ୍ୟାଙ୍କ ମାଧ୍ୟମରେ ହେବ। ଯେଉଁମାନେ ଚାଷ-ଋଣ ନେଉନାହାନ୍ତି ସେମାନେ ମଧ୍ୟ ନିକଟସ୍ଥ ଜନସେବା କେନ୍ଦ୍ର, ନିଜର ସଞ୍ଚୟ ଆକାଉଣ୍ଟ ଥିବା ବ୍ୟାଙ୍କ ବା ସମ୍ପୃକ୍ତ ଜିଲା ପାଇଁ ନିର୍ଦ୍ଧାରିତ ଫସଲବୀମା ଇନ୍ସୁରାନ୍ସ କମ୍ପାନୀ ଏଜେଣ୍ଟଙ୍କ ମାଧ୍ୟମରେ ଫସଲର ବୀମା କରାଇ ପାରିବେ। ବୀମା ସର୍ତ୍ତ ଅନୁସାରେ କ୍ଷତିପୂରଣ ପାଇଁ ଯୋଗ୍ୟ ବିବେଚିତ ସମସ୍ତ ଚାଷୀଙ୍କୁ ତୁରନ୍ତ ବୀମା ରାଶି ଯୋଗାଇ ଦେବା ପାଇଁ ମୁଖ୍ୟସଚିବ ଶ୍ରୀ ମହାପାତ୍ର ବୀମା କମ୍ପାନୀଗୁଡ଼ିକୁ ନିର୍ଦେଶ ଦେଇଥିଲେ। ଶସ୍ୟୱାରୀ ଚାଷ ହୋଇଥିବା କ୍ଷେତର ପରିମାଣ ଏବଂ ଅମଳ ହାର ନିର୍ଦ୍ଧାରଣ ନିମନ୍ତେ ଆଧୁନିକ ଉପଗ୍ରହ ଗବେଷଣା କୌଶଳ ପ୍ରୟୋଗ କରିବା ପାଇଁ ମୁଖ୍ୟସଚିବ ନିର୍ଦେଶ ଦେଇଥିଲେ। ଏଥିପାଇଁ ଏକ ସମନ୍ୱିତ ବୈଷୟିକ କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତ କରିବା ପାଇଁ ସେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ଓଡ଼ିଶା ମହାକାଶ ଗବେଷଣା ଉପଯୋଗ କେନ୍ଦ୍ରଙ୍କୁ ନିର୍ଦେଶ ଦେଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରମାଣିତ ହୋଇଥିବା ସାଟେଲାଇଟ୍ କୌଶଳଗୁଡିକୁ ଓଡ଼ିଶା କୃଷି ଜଳବାୟୁ ଅନୁସାରେ ନବୀକୃତ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ ଆୟୁକ୍ତ ପ୍ରଦୀପ କୁମାର ଜେନା ନିର୍ଦେଶ ଦେଇଥିଲେ। ଚଳିତ ବର୍ଷ ଖରିଫ୍ ଏବଂ ରବି ଋତୁରେ ଋଣ ନେଉ ନ ଥିବା ଚାଷୀଙ୍କୁ ଅଧିକ ସଂଖ୍ୟାରେ ବୀମାଭୁକ୍ତ କରିବାକୁ ମୁଖ୍ୟସଚିବ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଥିଲେ।
ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ବୈଠକରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ସଞ୍ଜୀବ କୁମାର ଚଢ଼ା, କୃଷି ନିର୍ଦେଶକ ମୁଥୁ କୁମାର, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, କୃଷି ନିର୍ଦେଶକ ଭାବେ ଯୋଗ ଦେଇଥିବା ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସମେତ ସମ୍ପୃକ୍ତ ବିଭାଗ ଓ ବୀମା କମ୍ପାନୀର ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ଏ.ଡ଼ି.ଏଫ୍.ସି.ଏଗ୍ରୋ, ରିଲାଏନ୍ସ, ଜି.ଆଇ.ସି, ଏବଂ ଏଗ୍ରିକଲ୍ଚର ଇନ୍ସୁରାନ୍ସ କମ୍ପାନୀ ଆଦି ତିନିଟି ବୀମା କମ୍ପାନୀକୁ ଓଡ଼ିଶାରେ ଫସଲବୀମା ନିମନ୍ତେ ମନୋନୟନ କରାଯାଇଛି।
Prev Post