ନୂଆଦିଲ୍ଲୀ: ୧୮-୪୪ ବର୍ଷ ବୟସ ବର୍ଗର ଲୋକମାନେ, ଯେଉଁମାନଙ୍କ ପାଖରେ ଇଣ୍ଟରନେଟ୍ କିମ୍ବା ସ୍ମାର୍ଟ ଫୋନର ସୁବିଧା ନାହିଁ ଏବେ ସେମାନେ ମଧ୍ୟ ନେଇ ପାରିବେ କରୋନା ଟିକା ।ଇଣ୍ଟରନେଟ୍ କିମ୍ବା ସ୍ମାର୍ଟ ଫୋନର ସୁବିଧା ନଥିବା ବ୍ୟକ୍ତି ଏବେ ସରକାରୀ କୋଭିଡ ଟିକାକରଣ କେନ୍ଦ୍ରକୁ ଯାଇ କୋଉଇନ ଡିଜିଟାଲ୍ ପ୍ଲାଟଫର୍ମରେ ଟିକାକରଣ ପାଇଁ ନିଜକୁ ପଞ୍ଜୀକୃତ କରିପାରିବେ । ଏନେଇ ଆଜି ଅପରାହ୍ନରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବିଜ୍ଞପ୍ତି ଜାରି କରିଛି ।
ବିଜ୍ଞପ୍ତି ଅନୁଯାୟୀ, ଅନେକ ସମୟରେ ଲୋକେ ଅନଲାଇନ ପଞ୍ଜିକରଣ କରି ମଧ୍ୟ ଟିକା ନେବାକୁ ଆସୁନାହାନ୍ତି | ଏଭଳି ସ୍ଥିତିରେ ଟିକା ନଷ୍ଟ ହେଉଛି ବା ବ୍ୟବହାର ନହୋଇ ରହିଯାଉଛି । ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନ-ସାଇଟ ପଞ୍ଜିକରଣର ସୁବିଧା ଆଣିଛି । ଯଦି ଟିକା ବଳିପଡ଼େ ତେବେ ସରକାରୀ କୋଭିଡ ଟିକାକରଣ କେନ୍ଦ୍ରକୁ ଯାଇ କୋଉଇନ ଡିଜିଟାଲ୍ ପ୍ଲାଟଫର୍ମରେ ଅନ-ସାଇଟ ପଞ୍ଜିକରଣ କରି ଲୋକେ ଟିକା ନେଇ ପାରିବେ।ବିଶେଷ କରି ଇଣ୍ଟରନେଟ୍ କିମ୍ବା ସ୍ମାର୍ଟ ଫୋନର ସୁବିଧା ନଥିବା ବ୍ୟକ୍ତି ଏହା ଦ୍ୱାରା ଲାଭବାନ ହେବେ ।
ତେବେ ଏହାକୁ ଲାଗୁ କରିବା ନେଇ ନିଷ୍ପତ୍ତି ନେବାକୁ କେନ୍ଦ୍ର ରାଜ୍ୟ ସରକାରଙ୍କ ଉପରେ ଛାଡିଛନ୍ତି। ରାଜ୍ୟ ସରକାର ନିଜ ହିସାବରେ ଏହି ସୁବିଧା ଲାଗୁ କରିବେ କି ନାହିଁ ନିଷ୍ପତ୍ତି ନେଇପାରିବେ ।