ପରୀକ୍ଷା କେନ୍ଦ୍ରକୁ ମାଗଣାରେ ଯିବେ ଜେଇଇ ଓ ନିଟ୍ ପରୀକ୍ଷାର୍ଥୀ, ରହିବା ଦାୟିତ୍ୱ ନେବା ସହ ସମସ୍ତ ସୁବିଧା ଯୋଗାଇବ ପ୍ରଶାସନ
- ଜେଇଇ ଓ ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଘୋଷଣା
- ବିନା କୌଣସି ବାଧାରେ ପରୀକ୍ଷାର୍ଥୀମାନେ ପରୀକ୍ଷା ସେଣ୍ଟରକୁ ଯାଇପାରିବେ
- ଛାତ୍ରଛାତ୍ରୀ ଚାହିଁଲେ ପ୍ରଶାସନ ମଧ୍ୟ ଯିବା ଆସିବା ସୁବିଧା ଯୋଗାଇବ
- ଚଳିତବର୍ଷ ୩୭ ହଜାର ଛାତ୍ରଛାତ୍ରୀ ଜେଇଇ ଓ ନିଟ୍ ପରୀକ୍ଷା ଦେବେ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୯/୦୮: ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଯୁଗ୍ମ ପରୀକ୍ଷା ପ୍ରବେଶିକା (ଜେଇଇ) ମେନ୍ ଅନୁଷ୍ଠିତ ହେବ। ଏଥିରେ ପ୍ରାୟ ୩୭ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ଓଡ଼ିଶାର ୭ଟି ସହରରେ ପ୍ରାୟ ୨୬୦୦ କେନ୍ଦ୍ରରେ ଏହି ପରୀକ୍ଷା କରାଯିବ। ଏଥି ପାଇଁ ରାଜ୍ୟ ସରକାର ସୁବନ୍ଦୋବସ୍ତ କରିଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଛନ୍ତି, ପିଲାମାନଙ୍କର ଜିଲ୍ଲା ମୁଖ୍ୟାଳୟ ଠାରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଓ ପରୀକ୍ଷା କେନ୍ଦ୍ରରୁ ଗୃହ ଜିଲ୍ଲା ପର୍ଯ୍ୟନ୍ତ ରାଜ୍ୟ ସରକାର ପରିବହନ ବ୍ୟବସ୍ଥା କରିବେ। କେବଳ ଛାତ୍ରଛାତ୍ରୀ ନିଜର ଆଡମିଟ କାର୍ଡ ଦେଖାଇଲେ ମାଗଣାରେ ପରିବହନର ସୁବିଧା ନେଇପାରିବେ। ପରୀକ୍ଷା କେନ୍ଦ୍ରରେ ପିଲାମାନେ ରହିବାର ଆବଶ୍ୟକତା କରୁଥିଲେ ଏଥି ପାଇଁ ସରକାରଙ୍କ ତରଫରୁ କରାଯାଇଥିବା ନୋଡାଲ ସେଣ୍ଟର ବ୍ୟବସ୍ଥା କରିବ।କରୋନା କଟକଣା ଭିତରେ ଜେଇଇ(ମେନ୍) ଓ ନିଟ୍ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନେ ସୁରକ୍ଷିତ ଓ ସୁବିଧାର ସହକାରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଏପରିକି ଯେଉଁ ପିଲାମାନେ ଚାହିଁବେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ବିନା ମୂଲ୍ୟରେ ନେଇ ପରୀକ୍ଷା କେନ୍ଦ୍ରରେ ଛଡ଼ାଯିବ। ରାଜ୍ୟରେ ଜେଇଇ ଓ ନିଟ୍ ପରୀକ୍ଷାର ଆୟୋଜନକୁ ନେଇ ଆଜି ଏଭଳି ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।
ମୁଖ୍ୟ ଶାସନ ସଚିବ କହିଛନ୍ତି, କୋଭିଡ-୧୯ ଯୋଗୁଁ ସ୍ଥିତି ଖରାପ ଥିବା ବେଳେ ଜେଇଇ ପରୀକ୍ଷା କରାଯିବ। କିଛି ପ୍ରାର୍ଥୀ ନିଜର ରହିବା ଓ ପରିବହନ ପାଇଁ ଚିନ୍ତା କରିଥିବେ। ଯାହାର ପରିବାହନ ଓ ରହିବା ଦରକାର ଅଛି, ତାଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦେବେ। ଯେଉଁମାନେ ନିଜର ଯାତାୟାତ ଓ ରହିବା ବ୍ୟବସ୍ଥା କରିନାହାନ୍ତି, ସେମାନଙ୍କ ପାଇଁ ସରକାର ବ୍ୟବସ୍ଥା କରିବେ। ପରୀକ୍ଷା କେନ୍ଦ୍ରରେ ପହଂଚିବା ପାଇଁ ପ୍ରାର୍ଥୀଙ୍କୁ ଯେପରି ଅସୁବିଧା ନ ହେବ, ସେଥିପାଇଁ ପ୍ରଶାସନ ଓ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ପରୀକ୍ଷାର୍ଥୀମାନେ ବ୍ୟକ୍ତିଗତ ଭାବେ ଆସିଥିଲେ ସେମାନଙ୍କୁ ସହଯୋଗ କରିବୁ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଛାତ୍ରଛାତ୍ରୀଙ୍କୁ ଯେପରି ଅସୁବିଧା ନହୁଏ, ସେଥିପାଇଁ ସୁବ୍ୟବସ୍ଥା କରାଯାଉଛି। ଶ୍ରୀ ତ୍ରିପାଠୀ କହିଛନ୍ତି, ୩୭ ହଜାରରରୁ ୧୬ରୁ ୧୭ ହଜାର ପ୍ରାର୍ଥୀ ଭୁବନେଶ୍ୱର ଓ କଟକରେ ପରୀକ୍ଷା ଦେବେ।ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଚଳିତ ଥର ପ୍ରାୟ ୩୭ ହଜାର ଛାତ୍ରଛାତ୍ରୀ ଜେଇଇ ଓ ନିଟ୍ ପରୀକ୍ଷା ଦେବେ। ତେବେ ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ଲକଡାଉନ୍ କଟକଣା ରହିବ ନାହିଁ। ସେମାନେ ନିଜର ଆଡମିଟ୍ କାର୍ଡ ଦେଖାଇ ଯିବା ଆସିବା କରିପାରିବେ।
ଜେଇଇ ପରୀକ୍ଷା ନେଇ ଜିଲ୍ଲା ପ୍ରଶାସନ, ପୁଲିସ ଓ ପରିବହନ କମିସନଙ୍କୁ କୁହାଯାଇଛି। ପରୀକ୍ଷା କେନ୍ଦ୍ରକୁ ପହଂଚିବା ପରେ ପିଲାମାନଙ୍କୁ ପହଂଚାଇବାର ଦାୟିତ୍ୱ ପ୍ରଶାସନ ନେବ। ସରକାରଙ୍କ ତରଫରୁ ପର୍ଯ୍ୟାପ୍ତ ପରିମାଣରେ ବସ ଯୋଗାଇ ଦିଆଯିବ। ପିଲାମାନଙ୍କୁ ବସ ଭଡ଼ା ଦେବାକୁ ପଡ଼ିବ ନାହିଁ। ନିଟ ପରୀକ୍ଷା ପାଇଁ ମଧ୍ୟ ଏଭଳି ବ୍ୟବସ୍ଥା କରାଯାଇଛି।ଯେଉଁ ପିଲାମାନେ ଚାହିଁବେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ମଧ୍ୟ ଯିବା ଆସିବା କରିବାକୁ ସୁବିଧା ଯୋଗାଇ ଦିଆଯିବ। ଏଥିପାଇଁ ଖୁବଶୀଘ୍ର ପ୍ରଶାସନ ପକ୍ଷରୁ ନୋଡାଲ୍ ସେଣ୍ଟରର ନମ୍ବର ଦିଆଯିବ। ଏହି ନମ୍ବରକୁ ଫୋନ୍ କରି ଛାତ୍ରଛାତ୍ରୀମାନେ ନିଜର ସୂଚନା ଦେବା ସହିତ ପ୍ରଶାସନର ସୁବିଧା ପାଇପାରିବେ।ଚଳିତ ବର୍ଷ କରୋନା କଟକଣା ଭିତରେ ରାଜ୍ୟରେ ଜେଇଇ ଓ ନିଟ୍ ପରୀକ୍ଷା ଆୟୋଜନ ସମ୍ଭବପର ନୁହେଁ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ପିଲାମାନଙ୍କ ଭବିଷ୍ୟତକୁ ଦେଖି ସେହି ତାରିଖରେ ହିଁ ପରୀକ୍ଷା ହେବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ।
ସୂଚନା ଓ ଲୋକ ସଂପର୍କ ସଚିବ ସଂଜୟ ସିଂହ କହିଛନ୍ତି, ଜେଇଇ ପରୀକ୍ଷା ଦେବାକୁ ଯାଉଥିବା ପ୍ରାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ ପହଂଚିବା ପାଇଁ କୌଣସି ସମସ୍ୟା ହେବ ନାହିଁ। ପ୍ରତି ଜିଲ୍ଲାର ଗୋଟିଏ ଲେଖାଏଁ ଆଇଟିଆଇ କଲେଜକୁ ନୋଡାଲ ସେଣ୍ଟର କରାଯାଇଛି। ଯେଉଁ ପ୍ରାର୍ଥୀମାନେ ପରିବହନର ଆବଶ୍ୟକତା ରହିଛି, ତା ପାଇଁ ସରକାର ବ୍ୟବସ୍ଥା କରିବେ। ଏଥି ପାଇଁ ଛାତ୍ରଛାତ୍ରୀ ନୋଡାଲ ସେଣ୍ଟରକୁ ଟେଲିଫୋନ ମାଧ୍ୟମରେ ଜଣାଇ ପାରିବେ। ଜିଲ୍ଲା ପ୍ରଶାସନ ତରଫରୁ ସରକାରଙ୍କ ଦ୍ୱାରା ପରିବହନ ବ୍ୟବସ୍ଥା କରାଯିବ। ସରକାରୀ, ଘରୋଇ ପଲିଟେକନିକ, ଇଂଜିନିୟରିଂ କଲେଜରେ ଥିବା ହଷ୍ଟେଲରେ ପିଲାମାନେ ରହିପାରିବେ। ନୋଡାଲ ଆଇଟିଆଇରେ ଏକ ସେଲ କରାଯିବ ଏବଂ ପିଲାମାନେ କିପରି ପରୀକ୍ଷା ଦେବେ ଓ କେଉଁଠି ରହିବେ ସେମାନେ ଦାୟିତ୍ୱ ନେବେ। ପରୀକ୍ଷା କେନ୍ଦ୍ରରୁ ପିଲମାନଙ୍କର ଗୃହ ଜିଲ୍ଲା ନେବା ପାଇଁ ବ୍ୟବସ୍ଥା କରାଯାଇଛି। ପିଲାମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ବ୍ୟାପକ ଯୋଜନା କରାଯାଇଛି।