‘ରାଜଧାନୀ ଦଶହରା ୨୦୨୦’: ଆଲୋକମାଳା ତଥା ତୋରଣ ଏବଂ ରାବଣ ପୋଡ଼ି ନେଇ କଟକଣା – ଏ ବର୍ଷ ଭୁବନେଶ୍ୱରରେ ହେବ ନିରାଡମ୍ବର ଦୁର୍ଗାପୂଜା ଓ ଭସାଣି ଉତ୍ସବ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୧/୦୮ : ଚଳିତବର୍ଷ କରୋନା ମହାମାରୀ ପ୍ରକୋପ କାରଣରୁ ରାଜଧାନୀ ଭୁବନେଶ୍ୱରରେ ନିରାଡମ୍ବର ଭାବେ ପାଳନ ହେବ ଦୁର୍ଗାପୂଜା । ଭୁବନେଶ୍ୱରରେ ଆଡମ୍ବର ଶୂନ୍ୟ ଦୁର୍ଗାପୂଜା ଆୟୋଜନ କରିବା ପାଇଁ ବିଭିନ୍ନ ପୂଜା କମିଟି ସହ ପୁଲିସ କମିଶନରଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆଜି ପୁଲିସ କମିସନରେଟ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାଙ୍କ ସହିତ ଏକ ବୈଠକ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।
ଏ ନେଇ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଅନୁସାରେ, ଚଳିତ ବର୍ଷ ପୂଜାରେ ତୋରଣ ଓ ଆଲୋକମାଳା ଲାଗିବନି କି ରାବଣ ପୋଡି ହେବ ନାହିଁ ଏବଂ ଆଡମ୍ବର ପୂର୍ଣ୍ଣ ଭସାଣି ଉତ୍ସବ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି । କେବଳ ମୂର୍ତ୍ତି ବିସର୍ଜନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ମାଇକ ମଧ୍ୟ ବାଜିବନି କିନ୍ତୁ କେବଳ ମନ୍ତ୍ରପାଠ ଲାଗି ମାଇକ ବାଜିବ କି ନାହିଁ ତା’ ଉପରେ ବିଚାର କରାଯିବ। ରାଜଧାନୀରେ ଏଥର କଟକଣା ଯୁକ୍ତ ପୂଜା ପାଇଁ ନିଷ୍ପତ୍ତି ହୋଇଛି । ବିନା ତୋରଣ ଓ ବିନା ସାଜସଜ୍ଜା କେବଳ ମଣ୍ଡପରେ ମା’ ଦୁର୍ଗତିନାଶିନୀ ଦୁର୍ଗାଙ୍କ ପୂଜା କରାଯିବ । ପୂଜା ସମୟରେ ମଣ୍ଡପରେ ୧୦ରୁ ଅଧିକ ପୂଜା କମିଟି ସଦସ୍ୟ ସାମିଲ ହୋଇ ପାରିବେ ନାହିଁ କି ଭକ୍ତମାନେ ମାଆଙ୍କୁ ପୂଜା କରିବା ପାଇଁ ମଣ୍ଡପକୁ ଆସି ପାରିବେ ନାହିଁ ଭକ୍ତ ।
ସେହିପରି ଘର ଘର ବୁଲି ଚାନ୍ଦ ଆଦାୟ କରାଯିବ ନାହିଁ । ପୂଜା କମିଟି ସଦସ୍ୟମାନେ ଚାନ୍ଦା ଆଦାୟ କରି ପାରିବେ ନାହିଁ ଏବଂ ଯିଏ ବି ଯାହା ସ୍ୱଇଚ୍ଛାରେ ଦେବେ । ଏଥିସହ ମୂର୍ତ୍ତିର ଆକାରକୁ ନେଇ ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପୂର୍ବ ବର୍ଷଗୁଡ଼ିକ ଭଳି ଚଳିତ ପୂଜାରେ ବଡ ମୂର୍ତ୍ତି ତିଆରି କରାଯିବ ନାହିଁ। ମାତ୍ର ୪ରୁ ୫ ଫୁଟ ଉଚ୍ଚର ମୂର୍ତ୍ତି ତିଆରି କରି ପୂଜା କରାଯିବ । ଏଥିସହ ଲୋକେ ମଣ୍ଡପକୁ ନଆସି ଘରେ ରହି ପୂଜା ପାଳନ କରିବେ ବୋଲି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।
![](https://i0.wp.com/kalingajyoti.com/wp-content/uploads/2020/08/bhasani.jpg?resize=552%2C414&ssl=1)