ଯୁବତୀଙ୍କ ଜିଦ୍ ଆଗରେ ରେଳବାଇକୁ ମୁ୍ଣ୍ଡ ନୁଆଇବାକୁ ପଡ଼ିଲା:କେବଳ ଜଣେ ମହିଳା ଯାତ୍ରୀଙ୍କୁ ନେଇ ରାଞ୍ଚିରେ ପହଞ୍ଚିଲା ରାଜଧାନୀ ଟ୍ରେନ୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ରାଞ୍ଚି ୦୫/୦୯ : ଆପଣ କେବେ ଶୁଣିଛନ୍ତି କି ଟ୍ରେନ୍ କେବଳ ଜଣେ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଛି, ଯଦି ତାହା ସତ ନୁହେଁ ତେବେ ମାନି ନିଅନ୍ତୁ କି ଏହା ପ୍ରକୃତରେ ହୋଇଛି। ଦିଲ୍ଲୀ-ରାଞ୍ଚି ରାଜଧାନୀ ଟ୍ରେନ୍ କେବଳ ଜଣେ ମହିଳା ଯାତ୍ରୀଙ୍କୁ ନେଇ ଡାଲ୍ଟନଗଞ୍ଜରୁ ଆଣି ରାଞ୍ଚିରେ ଛାଡିଛି।
ଡାଲ୍ଟନଗଞ୍ଜରେ ଆନ୍ଦୋଳନ ଯୋଗୁଁ ଟ୍ରେନକୁ ଅଟକାଇବାକୁ ପଡ଼ିଥିଲା, ଏହା ପରେ ଟ୍ରେନରେ ବସିଥିବା ୯୩୦ ଯାତ୍ରୀଙ୍କୁ ବସ୍ ଯୋଗେ ରାଞ୍ଚି ପଠାଯାଇଥିଲା। କିନ୍ତୁ ଟ୍ରେନରେ ବସିଥିବା ଜଣେ ଯୁବତୀ ବସରେ ଯିବାକୁ ମନା କରିଦେଇଥିଲେ। ଶେଷରେ ଯୁବତୀଙ୍କ ଜିଦ୍ ଆଗରେ ରେଳବାଇକୁ ମୁ୍ଣ୍ଡ ନୁଆଇବାକୁ ପଡ଼ିଲା।
ରେଳ ଅଧିକାରୀ କହିଛନ୍ତି ଯେ, ଟ୍ରେନଟି ରାତି ପ୍ରାୟ ଗୋଟେ କିମ୍ବା ଦେଢ଼ଟା ସମୟରେ ରାଞ୍ଚିରେ ପହଞ୍ଚିବାର ସମ୍ଭାବନା ଥିଲା। ରେଲଓ୍ବେ ଯୁବତୀଙ୍କ ନାଁ ଅନନ୍ୟା ବୋଲି କହିଛନ୍ତି। ଯୁବତୀ ଜଣକ B3 କୋଚର ୫୧ ନମ୍ବର ସିଟରେ ବସି ଯାତ୍ରା କରୁଥିଲେ। ଅଧିକାରୀ କହିଛନ୍ତି ଯେ, ପ୍ରଥମେ ତାଙ୍କୁ ଲାଗିଥିଲା କି ତାନା ଭଗତ ଆନ୍ଦୋଳନ ଶେଷ ହୋଇଯିବ, ତାପରେ ଟ୍ରେନ୍ ରାତିରେ ରାଞ୍ଚିରେ ପହଞ୍ଚିବ।
କିନ୍ତୁ ଏହିଭଳି ହୋଇ ନଥିଲା ଏବଂ ତାନା ଭଗତ ଆନ୍ଦୋଳନ ଦୀର୍ଘ ସମୟ ଧରି ଚାଲିଥିଲା, ଏହା ପରେ ରେଲଓ୍ବେ ନିଷ୍ପତ୍ତି ନେଇଥିଲା ଯେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ବସ୍ ମାଧ୍ୟମରେ ରାଞ୍ଚିରେ ପହଞ୍ଚାଇ ଦେବା ପାଇଁ। ମାତ୍ର ଏହି କଥାରେ ଯୁବତୀ ଜଣକ ରାଜି ହୋଇନଥିଲେ। ସେ କହିଥିଲେ ଯଦି ତାଙ୍କୁ ବସ୍ ଯୋଗେ ଯିବାକୁ ପଡ଼ିଥାନ୍ତେ, ତାହେଲେ ସେ ଟ୍ରେନ୍ ଟିକେଟ୍ ନେଇ ନଥାନ୍ତେ।
ଯୁବତୀଙ୍କୁ ଏକ କାରର ବିକଳ୍ପ ମଧ୍ୟ ଦିଆଯାଇଥିଲା। ତଥାପି ଯୁବତୀ ଜଣଙ୍କ ମାନିନଥିଲେ। ଶେଷରେ ରେଲଓ୍ବେକୁ ଯୁବତୀଙ୍କ ଆଗରେ ମୁଣ୍ଡ ନୁଆଇବାକୁ ପଡ଼ିଥିଲା। ଏହାପରେ ରେଲଓ୍ବେ ଅନ୍ୟ ଏକ ରୁଟ୍ ଦେଇ ଯୁବତୀଙ୍କୁ ରାଞ୍ଚିରେ ପହଞ୍ଚାଇଥିଲେ। ଏହା ବ୍ୟତୀତ ଯୁବତୀ ଜଣକ ଏକଲା ଯାତ୍ରା କରୁଥିବାରୁ ରେଳବାଇ ପକ୍ଷରୁ ଦୃଢ଼ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଟ୍ରେନରେ ଜଣେ ଆରପିଏଫ ଅଧିକାରୀ ଏବଂ ଅନେକ ମହିଳା ସୈନିକ ମଧ୍ୟ ଉପସ୍ଥିତ ଥିଲେ।