ବରଗଡ଼ ଜିଲ୍ଲାରେ ସର୍ବାଧିକ ପାସହାର ୭୬.୬୩%, ନବରଙ୍ଗପୁରରେ ସର୍ବନିମ୍ନ ୪୪.୬୭%
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୫/୦୯ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପରୀକ୍ଷା ଫଳ ପୁସ୍ତିକା ପ୍ରକାଶ କରିଛନ୍ତି। ଯୁକ୍ତ ୨ କଳା ପରୀକ୍ଷାରେ ସମୁଦାୟ ୬୭.୫୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଗତ ବର୍ଷ ଭଳି ଚଳିତ ଥର ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି।
ଚଳିତ ବର୍ଷ ୨ ଲକ୍ଷ ୧୯ ହଜାର ୭୧୬ ଜଣ ଛାତ୍ରଛାତ୍ରୀ ଯୁକ୍ତ୨ କଳା ପରୀକ୍ଷା ଦେଇଥିଲେ। ଏଥିରୁ ୧ ଲକ୍ଷ ୪୮ ହଜାର ୪୫୨ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ମୋଟ ୯୬ ହଜାର ୯୨୧ ଜଣ ଛାତ୍ରଙ୍କ ମଧ୍ୟରୁ ୫୭.୫୩ ପ୍ରତିଶତ ଅର୍ଥାତ ୫୫ ହଜାର ୭୫୬ ଜଣ ପାସ୍ କରିଛନ୍ତି। ୧ ଲକ୍ଷ ୨୨ ହଜାର ୭୯୫ ଜଣ ଛାତ୍ରୀଙ୍କ ମଧ୍ୟରୁ ୭୫.୪୮ ପ୍ରତିଶତ ଅର୍ଥାତ ୯୨ ହଜାର ୬୮୬ ଜଣ ପାସ କରିଛନ୍ତି।
ପ୍ରଥମ ଶ୍ରେଣୀରେ ୧୪.୯୫ ପ୍ରତିଶତ ଅର୍ଥାତ ୨୨ ହଜାର ୧୯୬ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୭.୫୩ ପ୍ରତିଶତ ଅର୍ଥାତ ୨୬ ହଜାର ୨୭ ଜଣ ଓ ତୃତୀୟ ଶ୍ରେଣୀରେ ୬୭.୬୩ ପ୍ରତିଶତ ଅର୍ଥାତ ୧ ଲକ୍ଷ ୧୦୧ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ବରଗଡ଼ ଜିଲ୍ଲାରୁ ସର୍ବାଧିକ ୭୬.୬୩ ପ୍ରତିଶତ ଓ ନବରଙ୍ଗପୁର ଜିଲ୍ଲାରୁ ସର୍ବନିମ୍ନ ୪୪.୬୭ ପ୍ରତିଶତ ପିଲା ପାସ କରିଥିବା ସୂଚନା ରହିଛି।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ)ପରିସରରେ ପରୀକ୍ଷାଫଳକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ଉନ୍ମୋଚନ କରିଛନ୍ତି । ଉନ୍ମୋଚନ ପରେ ଛାତ୍ରଛାତ୍ରୀମାନେ www.orissaresults.in ୱେବସାଇଟ୍ରେ ନିଜର ରୋଲ୍ ନମ୍ବର ଓ ଆବଶ୍ୟକୀୟ ତଥ୍ୟ ଦେଇ ପରୀକ୍ଷା ଫଳ ଜାଣିପାରିବେ । ଚଳିତ ବର୍ଷ କଳାରେ ୨ ଲକ୍ଷ ୨୧ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଧନ୍ଦାମୂଳକରେ ମାତ୍ର ୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୪୮ ହଜାର ୪୫୨ ପରୀକ୍ଷାର୍ଥୀ କୃତକାର୍ଯ୍ୟ କରିଛନ୍ତି। ଚଳିତ ବର୍ଷ ପାସ୍ହାରେ ଝିଅମାନେ ପୁଅଙ୍କୁ ପଛରେ ପକାଇଛନ୍ତି। ପୁଅଙ୍କ ପାସ୍ ହାର ୫୭.୩୩ ରହିଥିବା ବେଳେ ଝିଅ ପାସ୍ ହାର ୭୫.୪୮ ରହିଛି। ପ୍ରଥମ ଶ୍ରେଣୀରେ ୨୨ ହଜାର ୧୯୬ ପରୀକ୍ଷାର୍ଥୀ, ଦ୍ଵିତୀୟ ଶ୍ରେଣୀରେ ୨୬,୦୨୭, ତୃତୀୟ ଶ୍ରେଣୀୟରେ ୧,୦୦,୧୦୧ ପରୀକ୍ଷାର୍ଥୀ ପାସ୍ କରିଛନ୍ତି।