କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବଇ ୦୯/୦୯ : ମହାରାଷ୍ଟ୍ର ପୁଲିସକୁ ମଙ୍ଗଳବାର ଖୋଲା ଆହ୍ବାନ ଦେଇଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ। ଦିନକ ପରେ ସେ ମୁମ୍ବଇ ଆସିବାକୁ ଥିବାବେଳେ ମୁମ୍ବଇ ପୁଲିସର ସହାସ ଥିଲେ ତାଙ୍କ ବିରୋଧରେ ନିଶାସେବନ ଓ ନିଶାଦ୍ରବ୍ୟ କାରକାରରେ ସମ୍ପୃକ୍ତିର ପ୍ରମାଣ ଉପସ୍ଥାପନ କରିବାକୁ କଙ୍ଗନା ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଆହ୍ବାନ ଦେଇଛନ୍ତି। ଏ ବାବଦରେ ତଦନ୍ତ ହେଲେ ସେ ମହାରାଷ୍ଟ୍ର ସରକାରଙ୍କୁ ସମସ୍ତ ସହାଯୋଗ କରିବେ। ପୁଲିସ ଯଦି ଏହାକୁ ପ୍ରମାଣିତ କରେ; ତେବେ ସେ ସବୁଦିନ ପାଇଁ ମୁମ୍ବଇ ଛାଡ଼ିଦେବେ ଏବଂ ମୁମ୍ବଇ ପୁଲିସ ନିକଟରେ କୃତଜ୍ଞ ରହିବେ ବୋଲି ଘୋଷଣା କରିଛନ୍ତି। ଏମିତିକି ତାଙ୍କର ଫୋନ୍ କଲ୍ ରେକର୍ଡ ଯାଞ୍ଚ କରିବାକୁ ମଧ୍ୟ ସେ ଆହ୍ବାନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ କଙ୍ଗନାଙ୍କ ପୂର୍ବତନ ପୁରୁଷ ବନ୍ଧୁ ଅଧ୍ୟୟନ ସୁମନ ୨୦୧୬ରେ ଏକ ଟିଭି ସାକ୍ଷାତକାରରେ ଅଭିଯୋଗ କରିଥିଲେ ଯେ କଙ୍ଗନା ନିଶାସେବନ କରନ୍ତି ଓ ଏଥିପାଇଁ ସେ ତାଙ୍କୁ ବାଧ୍ୟ କରିଥିଲେ। ତାଙ୍କର ଏହି ପୁରୁଣା ମନ୍ତବ୍ୟକୁ ନେଇ ମହାରାଷ୍ଟ୍ର ସରକାର ମଙ୍ଗଳବାର କଙ୍ଗନାଙ୍କ ବିରୋଧରେ ତଦନ୍ତ ନିର୍ଦେଶ ଦେଇଥିବା କହିଛନ୍ତି ଦେଶମୁଖ।
କଙ୍ଗନା ଓ ନିଶା ବ୍ୟବସାୟୀଙ୍କ ମଧ୍ୟରେ ସମ୍ପର୍କର ତଦନ୍ତ ପାଇଁ ବିଧାୟକ ସୁନିଲ ପ୍ରଭୁ ଓ ପ୍ରତାପ ସରନାଇକଙ୍କ ଦାବି ଉପରେ ଏହି ନିର୍ଦେଶ ଦିଆଯାଇଥିବା ସେ କହିଛନ୍ତି। ମହାରାଷ୍ଟ୍ର କଂଗ୍ରେସ ମୁଖପାତ୍ର ସଚିନ ସାୱନ୍ତ ମଧ୍ୟ କହିଛନ୍ତି ଯେ କଙ୍ଗନା ନିଜେ ନିଶାସେବନ କରୁଥିବା ପୂର୍ବରୁ ସ୍ବୀକାର କରିଛନ୍ତି; ତେଣୁ ଘଟଣାର ତଦନ୍ତ ହେବା ଅବାଶ୍ୟକ। ଅପରପକ୍ଷରେ ସୁମନ ସମ୍ପ୍ରତି ମହାରାଷ୍ଟ୍ର ସରକାର ଓ କଙ୍ଗନାଙ୍କ ମଧ୍ୟରେ ଚାଳିଥିବା ଲଢ଼େଇରେ ସାମିଲ ହେବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି। ସାମ୍ପ୍ରତିକ ବିବାଦରେ ତାଙ୍କୁ ସଂଶ୍ଳିଷ୍ଟ ନ କରିବାକୁ ସେ ଗଣମାଧ୍ୟମକୁ ନିବେଦନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଥମ ବଲିଉଡ୍ କଳାକାର ଭାବେ ‘ୱାଇ-ପ୍ଲସ୍’ ସୁରକ୍ଷା ପାଇଥିବା କଙ୍ଗନା ଆସନ୍ତା କାଲି (୯ତାରିଖ) ହେଲିକପ୍ଟର ଯୋଗେ ମୁମ୍ବଇରେ ପହଞ୍ଚିବେ ବୋଲି ସୂଚନା ମିଳିଛି।