ଆଜି ପବିତ୍ର ମହାଳୟା: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ଆଜି ‘ଧବଳମୁଖୀ ବେଶ’ ବା ‘ଗଙ୍ଗା ବେଶ’ରେ ଦର୍ଶନ ଦେଲେ
ସମ୍ବଲପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୯ : ଆଜି ପବିତ୍ର ମହାଳୟା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମା’ଙ୍କର ଏହି ବେଶ ଗଙ୍ଗା ବେଶ ବା ସରସ୍ୱତୀ ବେଶ ବୋଲି ମଧ୍ୟ କୁହାଯାଏ। ଗୁରୁବାର ମଧ୍ୟରାତ୍ରୀରୁ ହିଁ ମା’ଙ୍କୁ ବେଶ କରିବା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିପାଇଁ ମନ୍ଦିରରେ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ସେପଟେ, ଆଜି ମାଁ ଶୁଭ୍ର ବା ଧଳା ବେଶ ଧାରଣ କରୁଥିବାରୁ ପ୍ରଥମ କରି ମାଁ ସମଲେଶ୍ୱରୀ ମହିମା ପ୍ରଚାର ସମିତି ପକ୍ଷରୁ ସବୁ ପୂଜକଙ୍କ ପାଇଁ ବାରାଣାସୀରୁ ଆସିଥିବା ଧଳାପାଟବସ୍ତ୍ର ଅର୍ପଣ କରାଯାଇଛି । ବର୍ଷରେ ଥରେ ହେଉଥିବା ମା’ଙ୍କ ଏହି ବିରଳ ବେଶ ଦର୍ଶନ ପାଇଁ ସବୁବର୍ଷ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଜମିଥାଏ।
ପ୍ରଥମ କରି ଏବର୍ଷ ଭକ୍ତ ମାଁଙ୍କ ଏବି ଦୁର୍ଲଭ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ପ୍ରତିବର୍ଷ ଏହି ବେଶ ଦର୍ଶନ କରିବାକୁ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ ହେଉଥିବା ବେଳେ ଏବର୍ଷ ମନ୍ଦିର ପରିସରର ଖାଁ ଖାଁ ରହିଛି । ହେଲେ ମାଁ’ଙ୍କ ଏହି ବେଶକୁ ଡିଜିଟାଲ ପ୍ଲାଟଫର୍ମରେ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି । ଏହି ବେଶ ଦର୍ଶନ ଦ୍ୱାରା ଗଙ୍ଗାଦର୍ଶନର ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ସେହିପରି ତିଳତର୍ପଣ ପରେ ମାଁଙ୍କୁ ଏହି ବେଶରେ ଦର୍ଶନ କଲେ ପିତୃଲୋକଙ୍କୁ ମୋକ୍ଷପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେହିପରି ଆଜି ଧବଳମୁଖୀ ବେଶ ଅବସରରେ ମଧ୍ୟ ମାଁ ଏକ ଶ୍ୱେତବର୍ଣର ବନାରସୀ ପାଟ ପରିଧାନ କରିଛନ୍ତି। ଏହାଛଡା ମହାଳୟା ଠାରୁ ଆରମ୍ଭ କରି ନବରାତ୍ର ଏବଂ କୁମାର ପୂର୍ଣମୀ ପର୍ଯ୍ୟନ୍ତ ପ୍ରତ୍ୟହ ମାଁଙ୍କ ପରିଧାନ ପାଇଁ ୧୧ଟି ବନାରସୀ ପାଟ ଆସିଥିବା ବେଳେ ଏହାକୁ ମୁଖ୍ୟ ପୂଜକଙ୍କୁ ଅର୍ପଣ କରାଯାଇଛି । କୁମାର ପୂର୍ଣିମାରେ ମାଁ ରାଜରାଜେଶ୍ୱରୀ ବେଶ ଧାରଣ କରୁଥିବାରୁ ଏହି ଦିନ ପାଇଁ ଏକ ନାଲି ରଙ୍ଗର ସ୍ୱତନ୍ତ୍ର ପାଟଶାଢୀ ପ୍ରଦାନ କରାଯାଇଛି। ଚଳିତ ବର୍ଷ ଭକ୍ତମାନେ ଘରେ ରହି ଡିଜିଟାଲ ପ୍ଲାଟଫର୍ମରେ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ଅଫିସିଆଲ୍ ଫେସ୍ବୁକ ପେଜରେ ମା‘ଙ୍କ ଲାଇଭ୍ ଦର୍ଶନ କରିପାରିବେ ବୋଲି ଟ୍ରଷ୍ଟବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି।
ଏହି ଅବସରରେ ମନ୍ଦିର ପରିସରରେ ପୂଜକଙ୍କୁ ସେମାନଙ୍କ ପାଟବସ୍ତ୍ର ସହିତ ମାଁଙ୍କ ସମସ୍ତ ଶାଢୀକୁ ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କୁ ଅର୍ପଣ କରାଯାଇଛି । ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ଏହାକୁ ହସ୍ତାନ୍ତର କରିଥିବା ବେଳେ ସମିତି ପକ୍ଷରୁ ସାମ୍ବାଦିକ ତ୍ରିବିକ୍ରମ ପ୍ରଧାନଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ସେପଟେ, ଆଜି ମାଁଙ୍କ ଧବଳମୁଖୀ ବେଶ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ବିଳମ୍ବିତ ରାତିରୁ ପୂଜକମାନେ ମାଁଙ୍କ ଦେହରୁ ସିନ୍ଦୁର ଛଡାଇ ଚନ୍ଦନ ଚର୍ଚ୍ଚିତା କରିଛନ୍ତି। ଏହାପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଆଳତୀ ଅନୁଷ୍ଠିତ ହୋଇଛି ।