ସାବଧାନ ! ! ସାବାଡ୍ ହେବେ ଅମାନିଆ : ଟ୍ୱିନ-ସିଟିରେ କୋଭିଡ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖିବାକୁ ନିୟୋଜିତ ହେବେ ୫୦ଅଧିକାରୀ, ୫ ପ୍ଲାଟୁନ୍ ପୋଲିସ୍
ମାର୍କେଟରେ ଜଗିବେ ଏନଫୋର୍ସମେଣ୍ଟ ଟିମ
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୯ : କୋଭିଡ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ୍ କରିବାପାଇଁ ଭୁବନେଶ୍ୱର ଏବଂ କଟକ ଠାରେ ଅଧିକ ୫୦ଜଣ ଅଧିକାରୀ ଏବଂ ୫ ପ୍ଲାଟୁନ୍ ଅଧିକ ସଶସ୍ତ୍ର ପୋଲିସ ନିୟୋଜିତ ହେବେ । କୋଭିଡ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦିଷ୍ଟ ହଟସ୍ପଟ୍ ଅଞ୍ଚଳ ଓ ମାର୍କେଟ୍ ଅଞ୍ଚଳ ଗୁଡିକରେ କୋଭିଡ ଏନଫୋର୍ସମେଣ୍ଟ ଟିମ୍ ରହିବ । ଭୁବନେଶ୍ୱରକୁ ୩ଟି ଜୋନ୍ ରେ ବିଭକ୍ତ କରାଯିବ ଏବଂ ପ୍ରତ୍ୟେକ ଜୋନ୍ ଦାୟିତ୍ୱରେ ଜଣେ ଲେଖାଏଁ ଡିସିପି ରହିବେ ବୋଲି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ପ୍ରକାଶ କରିଛନ୍ତି ।
ଟ୍ୱିନ୍ ସିଟିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଥିବା ବେଳେ ଗୁରୁବାର ଦିନ ଡିଜିପିଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ କୋଭିଡ କଟକଣାକୁ ଆହୁରି ଶକ୍ତକରିବା ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାକୁ ଡିଜିପି ଭୁବନେଶ୍ୱର-କଟକ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ହୋଇଥିବା ନିଷ୍ପତି ଅନୁସାରେ ମାର୍କେଟ ଅଂଚଳରେ କୋଭିଡ ଏନଫୋର୍ସମେଂଟ ଟିମ୍ ରହିବ । ଏହି ଟିମ୍ କୋଭିଡ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖିବ ।
ଡିଜିପି ଅଭୟ କହିଛନ୍ତି ଯେ, ହଟସ୍ପଟ ଅଂଚଳରେ କଡ଼ା ନଜର ରଖାଯିବ । ଭୁବନେଶ୍ୱର-କଟକରେ ଅଧିକ ୫୦ ପୁଲିସ ଅଫିସର ଓ ୫ ପ୍ଲାଟୁନ ପୁଲିସ ମୁତୟନ ରହିବେ । ଏମାନେ କୋଭିଡ ଏନଫୋର୍ସମେଂଟ ଟିମକୁ ଅଧିକ କ୍ରିୟାଶୀଳ କରିବାରେ ସହଯୋଗ କରିବେ । ବ୍ୟାପକ ସଚେତନତା ମାଧ୍ୟମରେ ଜନସାଧାରଣଙ୍କ ସହଯୋଗ କାମନା କରାଯିବ । ଦୈତନଗରୀ ପୋଲିସ୍ ଷ୍ଟେଟ୍ ସେଂଟ୍ରାଲ ଷ୍ଟୋରରୁ ଅଧିକ ପିପିଇ କିଟ୍ ଓ ଫେସ୍ ସିଲ୍ଡ୍ ସଂକ୍ରମହ କରିବେ । କୋଭିଡ୍ ସଂକ୍ରମିତ ପୋଲିସ୍ କର୍ମଚାରୀଙ୍କ ଉପଯୁକ୍ତ ଯତ୍ନ ନିଆଯିବ ।
ଏହି ବୈଠକରେ ପୋଲିସ୍ କମିଶନର ଡ. ସୁଧାଂଶୁ ଷଡଙ୍ଗୀ, ଆଇଜି (ଆଇନ ଶୃଙ୍ଖଳା) ଏସ୍ . ପ୍ରବୀଣ କୁମାର, ଭୁବନେଶ୍ୱରର ଡିସିପି ଡ. ଉମାଶଙ୍କର ଦାଶ, କଟକ ଡିସିପି ପ୍ରତୀକ ସିଂହ ଓ ଏଆଇଜି (ମୁଖ୍ୟାଳୟ) ବିବେକାନନ୍ଦ ଶର୍ମା ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ଯେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମୀକ୍ଷା ବୈଠକରେ ତେଣୁ ଭୁବନେଶ୍ୱର ଓ କଟକ କମିଶନରେଟ ଅଂଚଳରେ କୋଭିଡ ନିୟମ କାର୍ଯ୍ୟକାରିତା ଉପରେ ପୋଲିସ ମହାନିର୍ଦ୍ଦେଶକ ପ୍ରତ୍ୟକ୍ଷ ଦୃଷ୍ଟି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।